୨୦୧୯-୨୦ ନିମନ୍ତେ ଉତ୍ପାଦକତା ଓ ଅଣ ଉତ୍ପାଦକତା ଭିତ୍ତିକ ବୋନସ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲବି) ପ୍ରଦାନକୁ ଅନୁମୋଦନ କରାଯାଇଛି । ଏହାଫଳରେ ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫଓ, ଇଏସଆଇସି ଇତ୍ୟାଦି ସଂସ୍ଥାର ୧୬.୯୭ ଲକ୍ଷ ଅଣଗେଜେଟେଡ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କୁ ୨,୭୯୧ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ । ସେହିପରି ଅଣଉତ୍ପାଦକତା ଭିତ୍ତିକ ବା ଆଡହକ ବୋନସ ମଧ୍ୟ ୧୩.୭୦ ଲକ୍ଷ ଅଣଗେଜେଟେଡ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଏବାବଦ ୯୪୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବାକୁ ପଡିବ । ଏହି ବୋନସ ଘୋଷଣା ଦ୍ଵାରା ମୋଟ ୩୦.୬୭ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏବାବଦ ସରକାରଙ୍କୁ ୩,୭୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡିବ । ପୂର୍ବ ବର୍ଷ ମାନଙ୍କରେ ଅଣଗେଜେଟେଡ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଲାଗି ବୋନସ ସାଧାରଣତଃ ଦଶହରା ପୂର୍ବରୁ ପ୍ରଦାନ କରାଯାଇଥାଏ । ଉଭୟ ଉତ୍ପାଦକ ଭିତ୍ତିକ ଓ ଆଡହକ ବୋନସ ଅଣଗେଜେଟେଡ କର୍ମଚାରୀଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ।