୨୦୨୦-୨୧ ସିବିଏସ୍‌ଇ ନବମ-ଦ୍ୱାଦଶ ପାଠ୍ୟକ୍ରମ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ, ସାଂପ୍ରତିକ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳିତ ହେଉଥିବା ପାଠ୍ୟକ୍ରମକୁ ହ୍ରାସ ଓ ସଂଶୋଧିତ କରି ଛାତ୍ରଛାତ୍ରୀଙ୍କ ପାଠ୍ୟ ବୋଝ ହ୍ରାସ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍‌ଇକୁ ନିର୍ଦେଶ ଦିଆଯାଇଛି । ସେ କହିଛନ୍ତି ଯେ, କିଛି ସପ୍ତାହ ପୂର୍ବରୁ ପାଠ୍ୟକ୍ରମ ହ୍ରାସ ନେଇ ସେ ଶିକ୍ଷାବିତ୍‌ଙ୍କଠାରୁ ସୋସିଆଲ ମିଡିଆରେ ପ୍ରସ୍ତାବ ଆହ୍ୱାନ କରିଥିଲେ । ଏଥିରେ ୧୫୦୦ରୁ ଅଧିକ ପ୍ରସ୍ତାବ ଆସିଥିଲା । ଏହି ମତାମତ ପାଇଁ ସଂପୃକ୍ତ ଶିକ୍ଷାବିତ୍‌ଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ମନ୍ତ୍ରୀ ନିଶଙ୍କ କହିଛନ୍ତି ଯେ, ପାଠ୍ୟକ୍ରମରେ ଯେଉଁ ପରିବର୍ତ୍ତନ କରାଯିବ ତାହା ସଂପୃକ୍ତ କୋର୍ସ କମିଟି ସୁପାରିସ ଆଧାରରେ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ପାଠ୍ୟକ୍ରମ କମିଟି ଏବଂ ବୋର୍ଡର ପରିଚାଳନା କମିଟିର ଅନୁମୋଦନ ନିଆଯାଇଛି । ବର୍ତ୍ତମାନ କରୋନା ସଂକ୍ରମଣ ଫଳରେ ଭାରତ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଏବେ ଯେଉଁ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି ସେ ପରିସ୍ଥିତିରେ ପିଲାମାନଙ୍କ ପାଠ୍ୟକ୍ରମ ହ୍ରାସ କରିବା ଅପରିହାର୍ଯ୍ୟ ହୋଇଛି । ସୁତରାଂ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ରଖି ଅବଶିଷ୍ଟ ୩୦ ଶତାଂଶ ପାଠ୍ୟକ୍ରମକୁ ବାଦ ଦିଆଯାଇଛି । ସ୍କୁଲର ମୁଖ୍ୟ ଏବଂ ଶିକ୍ଷକମାନଙ୍କୁ ବୋର୍ଡ ପକ୍ଷରୁ ଏ ନେଇ ଆବଶ୍ୟକ ପରାମର୍ଶ ଦିଆଯାଇଛି । ଯେଉଁସବୁ ବିଷୟବସ୍ତୁକୁ ବାଦ ଦିଆଯାଇଛି ଆବଶ୍ୟକସ୍ଥଳେ ବିଭିନ୍ନ ବିଷୟରେ ପଢାଇବାବେଳେ ସେ ସବୁର ଆବଶ୍ୟକତା ପଡିଲେ ତାହା ପିଲାମାନଙ୍କୁ ବୁଝାଇଦେବାକୁ ଶିକ୍ଷକମାନଙ୍କୁ କୁହାଯାଇଛି । ତେବେ ସଂକ୍ଷିପ୍ତ ପାଠ୍ୟକ୍ରମ ଇଣ୍ଟରନାଲ ଆସେସ୍‌ମେଣ୍ଟର ଅଂଶବିଶେଷ ହେବନାହିଁ କିମ୍ବା ବାର୍ଷିକ ବୋର୍ଡ ପରୀକ୍ଷାରେ ଏଥିରୁ ପ୍ରଶ୍ନ ଆସିବ ନାହିଁ । ବିକଳ୍ପ ଏକାଡେମିକ୍‌ କ୍ୟାଲେଣ୍ଡର ଏବଂ ଏନ୍‌ସିଇଆରଟିର ବିଭିନ୍ନ ପାଠ୍ୟ କୌଶଳ ତଥା ଖସଡ଼ାକୁ ଅନୁସରଣ କରି ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢାଇବେ । ପ୍ରଥମରୁ ଅଷ୍ଟମ ବା ପ୍ରାଥମିକ ଶ୍ରେଣୀଗୁଡିକରେ ଏନ୍‌ସିଇଆରଟି ଦ୍ୱାରା ନିର୍ଦ୍ଧାରିତ ଶୈକ୍ଷିକ ପାଠ୍ୟକ୍ରମ ପ୍ରବର୍ତ୍ତନ ହେବ ଏବଂ ସବୁ ସ୍କୁଲରେ ବିକଳ୍ପ ଏକାଡେମିକ୍‌ କ୍ୟାଲେଣ୍ଡର ବାଧ୍ୟତାମୂଳକ ହେବ । ସିବିଏସ୍‌ଇର ଏକାଡେମିକ୍‌ ୱେବସାଇଟ www.cbseacademic.nic.inରେ ଏହି ସଂଶୋଧିତ ସିଲାବସ୍‌ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ