୨୦୨୪-୨୫ ବଜେଟ ନୂଆ ଭାରତର ସମୃଦ୍ଧିର ସଂକଳ୍ପ ଅଟେ

ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ଉପସ୍ଥାପିତ ପୂର୍ଣ୍ଣାଙ୍ଗ ବଜେଟକୁ ବିକଶିତ ଭାରତର ସର୍ବସମାବେଶୀ ଓ ସୃଜନଶୀଳ ବଜେଟ ବୋଲି ମତ ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ I ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଡିକର ସାମଗ୍ରିକ ବିକାଶ ପାଇଁ ଏହି ବଜେଟରେ ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି Iଗରିବ, ମହିଳା, ଯୁବଗୋଷ୍ଠୀ, ଅନ୍ନଦାତା ଏବଂ ମଧ୍ୟବିତ୍ତ ପରିବାରଙ୍କୁ ପ୍ରାଥମିକତା ଦେଇ ପ୍ରସ୍ତୁତ ବଜେଟ ନୂଆ ଭାରତର ସମୃଦ୍ଧିର ସଂକଳ୍ପ ଅଟେ । ଏହି ସର୍ବସ୍ପର୍ଶୀ ବଜେଟ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବ ବୋଲି ଶ୍ରୀ ଦତ୍ତ କହିଛନ୍ତି Iଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଅତିରିକ୍ତ ଘର, ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ୧ କୋଟି ଘରେ ମାଗଣାରେ ସୋଲାର ପ୍ୟାନେଲର ବ୍ୟବସ୍ଥା, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ଅନୁଦାନ, ୫ ବର୍ଷରେ ୨୦ ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରାଯିବା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ଦତ୍ତ ମତ ଦେଇଛନ୍ତି I ସାମ୍ପ୍ରତିକ ପରିସ୍ଥିତିରେ ଏହି ବଜେଟ ସବୁ ବର୍ଗର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ I ବିଶେଷ କରି ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦେବା ସହ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ଶ୍ରୀ ଦତ୍ତ ଆନ୍ତରିକତାର ସହ କୃତଜ୍ଞତା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ