୨୦୨୫ ବେଳକୁ ଓଡ଼ିଶାରେ ନଥିବେ ଶିଶୁ ଶ୍ରମିକ

ଭୁବନେଶ୍ୱର: କରୋନା ସମୟରେ ଆର୍ଥିକ ଅନାଟନରେ ଥିବା ପରିବାର ଯେପରି ନିଜ ପିଲାଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ ନ କରିବେ, ସେଥିପାଇଁ ପରିବାର ମୁରବିମାନଙ୍କ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ କରାଯିବା ଦରକାର । ମିଳିତ ପ୍ରୟାସରେ ଏ ନେଇ ପଦକ୍ଷେପ ନେବା ସହ ଶିଶୁଙ୍କୁ ଶିକ୍ଷା କ୍ଷେତ୍ରରେ ନିୟୋଜିତ କରିପାରିଲେ ଶିଶୁ ଶ୍ରମ ବନ୍ଦ ହୋଇପାରିବ । ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ପିପୁଲ୍ସ କଲସରାଲ ସେଣ୍ଟର (ପିକକ) ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଡିଭିଜିନାଲ ଶ୍ରମ କମିସନର ପ୍ରଦୀପ ମହାପାତ୍ର ଯୋଗ ଦେଇ କହିଥିଲେ, ୨୦୨୫ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମ ମୁକ୍ତ କରିବା ହେଉଛି ଆମର ଲକ୍ଷ୍ୟ । ଶିଶୁ ଶ୍ରମ ମୁକ୍ତ ରୋକିବାକୁ ଶ୍ରମ ବିଭାଗ, ଶିକ୍ଷା ଓ ଅନ୍ୟାନ୍ୟ ବିଭାଗ ସହଯୋଗରେ ଏକ ମିଳିତ ଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ରହିଛି । ଶିଶୁମାନଙ୍କ ପାଇଁ ଏକ ପେନସିଲ ପୋର୍ଟାଲ କରାଯାଇଛି । ଏହାକୁ ବ୍ୟବହାର ପାଇଁ ସଚେତନ କରାଯିବା ସହିତ ଜିଲ୍ଲାସ୍ତରରେ ଅଭିଯୋଗ ପଞ୍ଜୀକରଣ ଜରିଆରେ ଆବଶ୍ୟକ ପଦକ୍ଷେପ ନିଆଯିବ । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଦୀପ ବିଶ୍ୱାଳ କହିଥିଲେ ଯେ ଶିଶୁ ଶ୍ରମ ନିୟନ୍ତ୍ରଣ ପାଇଁ ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଦରକାର । ଏଥିନିମିନ୍ତ ମିଳିତ ପ୍ରୟାସ ଦରକାର । ଶିକ୍ଷା ସନ୍ଧାନର ଅନିଲ ପ୍ରଧାନ, ସ୍ୱେଚ୍ଛାସେବୀ ମଧୁମିତା ଦାସ, କବିତା କାନୁନଗୋ, ସାମ୍ବାଦିକ ଯତୀନ ଦାଶ ପ୍ରମୁଖ ଶିଶୁ ଶ୍ରମ କିପରି ବନ୍ଦ ହେବ ସେ ନେଇ ମତ ରଖିଥିଲେ । ପିକକ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରି ମିଳିତ ଉଦ୍ୟମରେ କିପରି ଶିଶୁ ଶ୍ରମ ରୋକି ହେବ କହିଥିଲେ । ପିକକ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ