୨୦୨୫-୨୬ ଶିକ୍ଷାବର୍ଷ ଅଳ୍ପ ଦିନ ବାକି: ଶିଶୁବାଟିକା ପିଲାଙ୍କୁ କେବେ ମିଳିବ ମାଗଣା ପୋଷାକ?

ଆସିକା  (ୱାଇଏନ୍‍ଏସ୍‍): ୨୦୨୫-୨୬ ଶିକ୍ଷାବର୍ଷ ସରିବାକୁ ଆଉମାତ୍ର ଅଳ୍ପ ଦିନ ବାକି ଅଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅନ୍ତର୍ଗତ ୧୨୬ଟି ସରକାରୀ ବିଦ୍ୟାଳୟରେ ଶିଶୁବାଟିକାରେ ନାମ ଲେଖାଇଥିବା ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ପିଲାଙ୍କୁ ମାଗଣା ପୋଷାକ ମିଳିନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ନୂତନ ସରକାର ଆସିବା ପରେ ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ହେଲା । ସେହି ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ସରକାରୀ ବିଦ୍ୟାଳୟ ଗୁଡିକରେ ଶିଶୁ ଶ୍ରେଣୀ ଖୋଲାଗଲା । ଶିଶୁବାଟିକାରେ ଶିକ୍ଷାବର୍ଷ ଆରମ୍ଭରୁ ପିଲାମାନେ ନାମ ଲେଖାଇଲେ । ଶିଶୁବାଟିକାରେ ଯେପରି ଅଧିକରୁ ଅଧିକ ପିଲା ନାମ ଲେଖାଇପାରିବେ ତାହାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ବହୁବିଧ ସଚେତନତା କାର୍ଯ୍ୟକ୍ରମ ମାନ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ତେବେ ଶିକ୍ଷାବର୍ଷ ସରିବାକୁ ଆଉ କିଛି ଦିନ ବାକି ଥିବା ବେଳେ ଅଦ୍ୟାବଧି ଶିଶୁବାଟିକାରେ ପାଠ ପଢୁଥିବା ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ କୁନି କୁନି ପିଲାଙ୍କୁ ସରକାରଙ୍କ ମାଗଣା ପୋଷାକ ମିଳିନଥିବା ଜଣାପଡିଛି । କୁନି କୁନି ବିଦ୍ୟାର୍ଥୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ହୋଇଆସୁଥିବା ବେଳେ କେବେ ପୋଷାକ ମିଳିବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶିଶୁବାଟିକାରେ ଅଧ୍ୟୟନରତ କୁନି କୁନି ପିଲାଙ୍କୁ ସରକାରଙ୍କ ମାଗଣା ପୋଷାକ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆଯାଇଥିବା ସଂସ୍ଥା କେଉଁ କାରଣରୁ ଶିକ୍ଷାବର୍ଷ ସରିବାକୁ ଅଳ୍ପ ଦିନ ବାକିଥିବା ବେଳେ ଅଦ୍ୟାବଧି ପୂର୍ଣ୍ଣମାତ୍ରାରେ ପୋଷାକ ଯୋଗାଇପାରି ନାହିଁ ତାହାର ଏକ ନିରପେକ୍ଷ ତଦନ୍ତ କରିବା ସାଙ୍ଗକୁ କର୍ତ୍ତବ୍ୟରେ ଅବହେଳା କରିଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ସାଙ୍ଗକୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦୃଢ ମତ ପ୍ରକାଶ ପାଉଛି । କାହିଁକି ବାଲ୍‍ବାଟିକାରେ ଅଧ୍ୟୟନରତ ପିଲାଙ୍କୁ ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ସରକାରଙ୍କ ମାଗଣା ପୋଷାକ ପୂର୍ଣ୍ଣମାତ୍ରାରେ ବଣ୍ଟନ କରାଯାଇ ନାହିଁ ତାହାକୁ ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଶିଶୁବାଟିକା ଖୋଲିଥିବା ବିଦ୍ୟାଳୟ ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମୀ ସୁଦୃଢ କରିବା ପାଇଁ ନାମ ଲେଖାଇଥିବା କୁନି କୁନି ଶିଶୁମାନଙ୍କୁ ୨୦୨୫-୨୬ ଶିକ୍ଷାବର୍ଷ ଶେଷ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ମାଗଣା ପୋଷାକ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ଦୁର୍ନିତୀ ବିରୋଧରେ ଆମେ ସଂଗଠନର ଆବାହକ ତଥା ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ