୨୦୩୦ ସୁଦ୍ଧା ଭାରତୀୟ ରେଳବାଇ ୩୩ ବିଲିୟନ ୟୁନିଟ ଉର୍ଜ୍ଜା ଆବଶ୍ୟକ ପୂରଣ କରିବାକୁ ପ୍ରସ୍ତୁତ

ନୂଆ ଦିଲ୍ଲୀ:ନିଜର ଯାବତୀୟ ଶକ୍ତି ଆବଶ୍ୟକତା ପୂରଣ କରି ଏ କ୍ଷେତ୍ରରେ ଶତପ୍ରତିଶତ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତୀୟ ରେଳବାଇ ଲକ୍ଷ୍ୟ ରଖିଛି । ଏହା ସହିତ ଜାତୀୟ ସୌରଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛି । ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବୈଠକ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସଂପୃକ୍ତ ପକ୍ଷ ଅଂଶଗ୍ରହଣ କରିବା ସହ ଆଲୋଚନାରେ ଭାଗ ନେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ରେଳବାଇ ଟ୍ରେନ ଚଳାଚଳ ସଂକ୍ରାନ୍ତ ନିଜର ସମସ୍ତ ଶକ୍ତି ଆବଶ୍ୟକତା ସୌରଶକ୍ତିରୁ ପୂରଣ କରିବା ପାଇଁ ଅଙ୍ଗୀକାରବଦ୍ଧ । ଏହାସହିତ ମଧ୍ୟ ରେଳବାଇ ନିଜକୁ ଏକ ଗ୍ରୀନମୋଡ ପରିବହନ ବ୍ୟବସ୍ଥାରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରୁଛି । ଆଜିର ବୈଠକରେ ମୁଖ୍ୟତଃ ୩ଟି ବିଷୟରେ ଆଲୋଚନା ହୋଇଥିଲା । ସେଗୁଡିକ ହେଲା- (୧) ରେଳଟ୍ରାକ୍ ପାର୍ଶ୍ଵରେ ଅଭିନବ ସୌରଶକ୍ତି ପ୍ରକଳ୍ପମାନ ସ୍ଥାପନ କରିବା (୨) ୨୦୩୦ ସୁଦ୍ଧା ରେଳବାଇକୁ ଶତପ୍ରତିଶତ ଅଙ୍ଗାରମୁକ୍ତ ପରିବହନ ବ୍ୟବସ୍ଥାରେ ପରିଣତ କରିବାକୁ ୨୦ ଗିଗାୱାଟ ସୌରଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ କରିବା, (୩) ବ୍ୟାପକଭାବେ ସୌରଶକ୍ତି ପ୍ରକଳ୍ପମାନ କାର‌୍ୟ୍ୟକାରୀ କରିବାରେ ଥିବା ସମସ୍ୟାକୁ ଦୂର କରିବା ।
ବୈଠକରେ ଯୋଗଦେଇଥିବା ଡେଭଲପରମାନେ ରେଳବାଇର ଅକ୍ଷୟଶକ୍ତି ବିକାଶ କାର‌୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏ କ୍ଷେତ୍ରରେ ରେଳବାଇ ଯେଉଁ ଲକ୍ଷ୍ୟ ରଖିଛି ୨୦୩୦ ସୁଦ୍ଧା ତାହା ପୂରଣ କରିବାକୁ ସବୁମନ୍ତେ ଉଦ୍ୟମ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ନିକଟରେ ପ୍ରଧାନମନ୍ତ୍ରୀ ଦେଶର ରେଳ ଷ୍ଟେସନଗୁଡିକୁ ସୌରଶକ୍ତି ସଂପନ୍ନ କରିବା ଏବଂ ରେଳବାଇର ଖାଲି ଜମିରେ ଅକ୍ଷୟ ଶକ୍ତି ୟୁନିଟମାନ ସ୍ଥାପନ କରିବା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ପୂରଣ କରିବା ନିମନ୍ତେ ରେଳବାଇ ଏସବୁ କାର‌୍ୟ୍ୟ କରୁଛି ।ରେଳବାଇ ତାହାର ସୌରଶକ୍ତି ଉତ୍ପାଦନରେ କେବଳ ଆତ୍ମନିର୍ଭଶୀଳ ହେବାକୁ ଚାହୁଁ ନାହିଁ, ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରି ଜାତୀୟ ସୌର ଅଭିଯାନରେ ସାମିଲ ହୋଇ ଦେଶର ଲକ୍ଷ୍ୟ ପୂରଣ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛି ।
ଏହି ଲକ୍ଷ୍ୟ ପୂରଣ କରିବା ଦିଗରେ ଭାରତୀୟ ରେଳବାଇ ନିଜର ଖାଲି ଜାଗାଗୁଡିକୁ ସୌରପ୍ଲାଣ୍ଟ ନିର୍ମାଣ ପାଇଁ ଯୋଗାଇଦେବ । ଇତିମଧ୍ୟରେ ଏ ସଂକ୍ରାନ୍ତ ଏକ ପାଇଲଟ ପ୍ରକଳ୍ପ କାର‌୍ୟ୍ୟକ୍ଷମ ହୋଇ ସଫଳତାର ସହ କାର‌୍ୟ୍ୟ କରୁଛି । ମଧ୍ୟପ୍ରଦେଶର ବୀନାଠାରେ ୧.୭ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ସୌରଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ଶକ୍ତିକୁ ସିଧାସଳଖ ୨୫ କେଭି ଟ୍ରାକ୍ସନ ସିଷ୍ଟମ ସହ ଯୋଡାଯାଇଛି । ଏହାଦ୍ୱାରା ଅଣପାରମ୍ପରିକ ଊର୍ଜ୍ଜାରେ ଟ୍ରେନ ଚଳାଚଳ ସମ୍ଭବ ହୋଇଛି । ଏଥିସହିତ ଉତ୍ତରପ୍ରଦେଶର ରାୟବରେଲିରେ ଥିବା ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରିରେ ୩ ମେଗାୱାଟର ଏକ ସୌରପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏଥିରୁ ଉତ୍ପାଦିତ ଶକ୍ତି ସେହି କାରଖାନାର ବିଭିନ୍ନ ଊର୍ଜ୍ଜା ଆବଶ୍ୟକତା ପୂରଣ କରୁଛି । ସେହିଭଳି ଦିୱାନାଠାରେ ୨ ମେଗାୱାଟ ଏବଂ ଭିଲାଇରେ ୨୫ ମେଗାୱାଟ କ୍ଷମତା ବିଶିଷ୍ଟ ୨ଟି ସୌରଶକ୍ତି ପ୍ରକଳ୍ପ ନିର୍ମାଣ କାର‌୍ୟ୍ୟ ଆଗେଇ ଚାଲିଛି । ଏଥିରୁ ଉତ୍ପାଦିତ ଶକ୍ତି ରାଜ୍ୟ ଟ୍ରାନ୍ସମିସନ ୟୁଟିଲିଟି ଓ କେନ୍ଦ୍ର ଟ୍ରାନ୍ସମିସନ ୟୁଟିଲିଟିକୁ ଯୋଗାଇ ଦିଆଯିବ ।
ଅଧିକରୁ ଅଧିକ ସୌରଶକ୍ତି ୟୁନିଟମାନ କାର‌୍ୟ୍ୟକ୍ଷମ ହେଲେ ସମଗ୍ର ରେଳବାଇକୁ ଅଙ୍ଗାରମୁକ୍ତ ଊର୍ଜ୍ଜା ବ୍ୟବସ୍ଥାରେ ଚଳାଇବା ପାଇଁ ମନ୍ତୀ ଶ୍ରୀ ଗୋଏଲ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ହେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ୨୦୩୦ ସୁଦ୍ଧା ସମଗ୍ର ରେଳବାଇକୁ ନେଟ୍ ୦ କାର୍ବନ ଏମିସନ ରେଳୱେରେ ପରିଣତ କରିବାକୁ ମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୩୦ ସୁଦ୍ଧା ରେଳବାଇ ୨୦ ଗିଗାୱାଟ ସୌରଶକ୍ତି ଉତ୍ପାଦନକ୍ଷମ ପ୍ରକଳ୍ପମାନ କାର‌୍ୟ୍ୟକ୍ଷମ କରିବ । ସେଥିପାଇଁ ନିଜର ଖାଲି ଜାଗାରେ ଏଭଳି ପ୍ରକଳ୍ପମାନ ନିର୍ମାଣ କରିବାକୁ ରେଳବାଇ ଡେଭଲପରଙ୍କୁ ଜମି ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରିଛି । ଆହୁରି ମଧ୍ୟ ୨୦୨୩ ସୁଦ୍ଧା ଦେଶର ସବୁ ରେଳଲାଇନକୁ ଶତପ୍ରତିଶତ ବିଦ୍ୟୁତ୍‌କରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୩୦ ସୁଦ୍ଧା ଭାରତୀୟ ରେଳବାଇ ମୋଟ ଊର୍ଜ୍ଜା ବ୍ୟବହାର ପରିମାଣ ୩୩ ବିଲିୟନ ୟୁନିଟରେ ପହଞ୍ଚିବ ବୋଲି ହିସାବ କରାଯାଇଛି । ରେଳବାଇ ଏ ବାବଦରେ ଏବେ ବାର୍ଷିକ ୨୨ ବିଲିୟନ ୟୁନିଟ ବ୍ୟବହାର କରୁଛି ।
ନିଜର ଅଙ୍ଗାରମୁକ୍ତ ଲକ୍ଷ୍ୟକୁ ପୂରଣ କରିବା ପାଇଁ ରେଳବାଇ ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛି । ଏଥିରେ ସୌରଶକ୍ତି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ଯେତେ ଅଧିକ ସମ୍ଭବ ସୌର ପ୍ରକଳ୍ପମାନ ନିର୍ମାଣ କରିବା ପାଇଁ ପ୍ରୟାସ ଚାଲିଛି । ଏହାଦ୍ୱାରା ଅଣପାରମ୍ପରିକ ଶକ୍ତି ବ୍ୟବହାର କରି ରେଳବାଇ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି । ଏହି ଲକ୍ଷ୍ୟ ହାସଲ ହେଲେ ଭାରତୀୟ ରେଳବାଇ ଉଭୟ ସବୁଜ ଓ ଆତ୍ମନିର୍ଭର ହୋଇପାରିବ ।
ଏହି ପ୍ରୟାସରେ ଇତିମଧ୍ୟରେ ରେଳବାଇ ନିଜର ଖାଲି ସ୍ଥାନ ଏବଂ ରେଳପଥ ପାଶ୍ୱର୍ରେ ୩ ଗିଗାୱାଟ ସୌର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି । ରେଳବାଇର ଏକ ପିଏସ୍‌ୟୁ ରେଳ ଊର୍ଜ୍ଜା ପରିଚାଳନା କମ୍ପାନୀ ବା ଆରଇଏମ୍‌ସିଏଲ୍ ଏହି ନିଲାମ କାର‌୍ୟ୍ୟ ବୁଝାସୁଝା କରୁଛି । ପ୍ରସ୍ତାବିତ ଏହିସବୁ ସୌର ପ୍ରକଳ୍ପରୁ ଯେଉଁ ବିଦ୍ୟୁତ୍ ଉତ୍ପାଦିତ ହେବ ତାହାକୁ ସ୍ୱଳ୍ପ ମୂଲ୍ୟରେ ରେଳବାଇକୁ ବିକ୍ରି କରାଯିବ । ଏହାଛଡା ଏହି ପ୍ରକଳ୍ପ ମାଧ୍ୟମରେ ରେଳବାଇର ଜମି ମଧ୍ୟ ସୁରକ୍ଷିତ ହୋଇପାରିବ ।
ବୈଠକ ଅବସରରେ ରେଳମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନିର୍ମାଣରେ ଯେଉଁମାନେ ସାମିଲ ହେବେ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ । ଜବରଦଖଲ ମୁକ୍ତ ରେଳଜମିରେ ଏସବୁ ପ୍ରକଳ୍ପ ତିଆରି ହେବ । ଡେଭଲପରମାନଙ୍କ ଦ୍ୱାରା ରେଳପଥର ଦୁଇପାଶ୍ୱର୍ରେ ପାଚେରି ନିର୍ମାଣ କରାଯିବ । ଏହାଫଳରେ ରେଳପଥରେ ଅନୁପ୍ରବେଶକୁ ରୋକିହେବ ।ଭାରତୀୟ ରେଳବାଇକୁ ଊର୍ଜ୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ଅତ୍ୟାଧୁନିକ ଦେଶୀ ଟେକ୍ନୋଲଜି ବ୍ୟବହାର କରାଯାଉଛି । ଏହାଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଇପ୍‌ସିତ ଅଣପାରମ୍ପରିକ ଊର୍ଜ୍ଜା ଉତ୍ପାଦନ ଓ ବ୍ୟବହାର ଲକ୍ଷ୍ୟ ସାକାର ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ