୨୦ ବର୍ଷ ହେଲା ଜରିପାଲ ଝୁମ୍ପୁଡିରେ ଗୋଟିଏ ପରିବାରର ୮ ଜଣ
ପୋଲସରା, (ଅନିଲ କୁମାର ମହାରଣା):ଗ୍ରାମରୁ ରୁ ସହର କେଉଁଠିବି ରହିବେ ନାହିଁ ବାସହୀନ ଗରିବ। ଓଡିଶା ସରକାରଙ୍କ ଜାଗା ମିଶନ ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ଥଇଥାନ କରାଯିବ। ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଏନ୍.ଏ.ସି. ର ୧୫ ନଂ ଓ୍ବାଡ଼ ଦେବୀନଗର ସାହିରେ ଥିବା ସୁଜ୍ଞାନୀ ପାତ୍ରଙ୍କ ୮ ପ୍ରାଣୀ କୁଟୁମ୍ବଙ୍କୁ ଦେଖିଲେ ମନେହୁଏ ସତେ ଯେମିତି ଏହି ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ। ଦିର୍ଘ ୨୦ ବର୍ଷ ଧରି ସୁଜ୍ଞାନୀ ପାତ୍ର ତାଙ୍କର ପୁରା ପରିବାରକୁ ନେଇ ଏହି ଜରିପାଲର ବାଉଁଶ କୁଡିଆ ତଳେ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି। ସୁଜ୍ଞାନୀ ଓ ତାଙ୍କ ସ୍ବାମୀ ପରର ମଜୂରୀ ଲାଗି ବଡ଼ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ପ୍ରାୟ ୨୦ ବର୍ଷ ହେଲା ଏହି ହରିଜନ ଦମ୍ପତି ନିଘଞ୍ଚ ସ୍ଥାନରେ ମୁଣ୍ଡଗୁଞ୍ଜି ରହିବା ପାଇଁ ବାଉଁଶକୁ ଯୋଡ଼ି କୁଡ଼ିଆ ଘର ଟିଏ ତିଆରି କରିଥିଲେ। ହେଲେ ଦୁର୍ଭାଗ୍ୟ, ସେହି ଜାଗାର ମାଲିକ ହେଉଛନ୍ତି ଆଉ ଜଣେ ବ୍ୟକ୍ତି । ନିଜସ୍ବ ଅଧିକାର ପାଇଁ ମୁଣ୍ଡ ଗୁଞ୍ଜିବାକୁ ନିଜର ବୋଲି କୌଣସି ବାସସ୍ଥାନ ନାହିଁ। ଅନ୍ୟର ଜାଗାରେ କୁହାପୋଛା କରି ସେହିଠାରେ ବୁଢ଼ୀ ମାଆ, ସ୍ୱାମୀ, ପତ୍ନୀ, ପାଞ୍ଚ ଛୁଆ ମୋଟ ଆଠ ପ୍ରାଣୀ ଗୋଟିଏ କୁଡ଼ିଆ ଘରେ ମୁଣ୍ଡଗୁଞ୍ଜି ରହିଛନ୍ତି। ଜରିପାଲ ଘୋଡା ଯାଇଥିବା ଏହି କୁଡ଼ିଆରେ ରହିଛି ରାତିରେ ହିଂସ୍ରଜନ୍ତୁ ଓ ସାପ ମାନଙ୍କର ଭୟ। ହେଲେ ନିଜ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ରହୁଛନ୍ତି ସେହି କୁଡ଼ିଆ ଘରେ । ଏନେଇ ବହୁ ବାର ପୋଲସରା ଏନ୍.ଏ.ସି. କାର୍ଯ୍ୟାଳୟକୁ ଆସି ସରକାରଙ୍କ ଜାଗା ମିଶନ ମାଧ୍ୟମରେ ସହଯୋଗ ପ୍ରଦାନ ପାଇଁ ଲିଖିତ ଅନୁରୋଧ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳିପାରିନାହିଁ । ସୁଜ୍ଞାନୀଙ୍କ ବଡ଼ ଝିଅ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଥିଲେ ମଧ୍ୟ ଆର୍ଥିକ ଅସୁବିଧା ଯୋଗୁ ଉଚ୍ଚ ଶିକ୍ଷା ପାଇଁ ବାଧକ ସାଜିଛି। ଏଣେ ନିଜସ୍ବ ଘର ପଟ୍ଟା ନଥିବାରୁ ରେସିଡେଣ୍ଟ୍ ସାର୍ଟିଫିକେଟ ଓ ଇନକମ୍ ସାର୍ଟିଫିକେଟରୁ ବଞ୍ଚିତ ହେଉଛନ୍ତି ଏହି ପରିବାର। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାଃ ବାଃ ନେଉଥିବା ବେଳେ ଜଣେ ଭୂମି ହୀନ, ଗୃହ ହୀନ ହରିଜନ ପରିବାରଙ୍କୁ ଜାଗା ଓ ଘର ଖଣ୍ଡେ ଦେବାକୁ ଅସମର୍ଥ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାର ମୁଖ୍ୟ ହିସାବରେ ସୁଜ୍ଞାନୀଙ୍କୁ ମାସିକ ୪ କେଜି ଚାଉଳ ଦେଇ ଦେଖେଉଛନ୍ତି ପାରିବାର ପଣିଆ। ଏନେଇ ପୋଲସରା ତହସିଲଦାର ଭାସ୍କର ଚନ୍ଦ୍ର ସାହୁ କୁହନ୍ତି ସରକାରଙ୍କ ଜାଗା ମିଶନରେ ଭୂମିହୀନ ମାନେ ପ୍ରଥମେ ଏନ୍.ଏ.ସି.ରେ ଦରଖାସ୍ତ କରିବେ । ତଦନ୍ତ ପ୍ରକ୍ରିୟାରେ ସେମାନଙ୍କୁ ଚିହ୍ନଟ କରାଯିବ ପରେ ବିଧିବଦ୍ଧ ଭାବେ ଭୂମିହୀନଙ୍କୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଯିବ । ଅନ୍ୟପଟେ ଭୂମିହୀନଙ୍କୁ ଜାଗା ଯୋଗାଇ ଦେବାକୁ ବହୁ ଦରଖାସ୍ତ ପୋଲସରା ଏନ୍.ଏ.ସି କାର୍ଯ୍ୟାଳୟରେ ପଡ଼ି ରହିଛି। ପୋଲସରା ଏନ୍.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ତହସିଲଦାର ସୁଭମ ବେହେରା ଦାୟିତ୍ୱରେ ଥିବା ବେଳେ ସରକାରଙ୍କ ଜାଗା ମିଶନ୍ କାର୍ଯ୍ୟକାରୀ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ହେଉଛି।