୨୦ ମାଓବାଦୀ ଗିରଫ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ବିଭିନ୍ନ ମାଓ ହିଂସାକାଣ୍ଡରେ ଜଡିତ ୨୦ ସକ୍ରିୟ ମାଓବାଦୀଙ୍କୁ ତେଲେଙ୍ଗାନାର ମୁଲୁଗୁ ପୁଲିସ ଗିରଫ କରିବା ସହ ବନ୍ଧୁକ ବିସ୍ଫୋରକ ସାମଗ୍ରୀ ଜବତ କରିଛି।ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ମୁଲୁଗୁ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଭିନ୍ନ ଭିନ୍ନ ସ୍ଥାନରୁ ଜଣେ ଡିଭିସିଏମ, ପାଞ୍ଚ ଜଣ ଏସିଏମ, ୧୪ ଜଣ ପାର୍ଟି ସଦସ୍ୟ ମାଓବାଦୀଙ୍କୁ ଆଧୁନିକ ରାଇଫଲ ଏବଂ ବିସ୍ଫୋରକ ସାମଗ୍ରୀ ଜବତ ସହ ଗିରଫ କରିଛନ୍ତି । ମାଓବାଦୀ ମାନେ ୨୦୨୧ ମସିହାରେ ଟେକଲ ଗୁଡାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ୨୨ ଯବାନଙ୍କୁ ହତ୍ୟା କରିଥିଲେ। ୨୦୧୭ ମସିହାରେ ବୁରକାପାଲରେ ସୁରକ୍ଷାକର୍ମୀ ଉପରେ ଆକ୍ରମଣ କରି ୨୬ ଜଣ ଯବାନଙ୍କୁ ହତ୍ୟା କରିଥିଲେ। ୨୦୨୦ ମସିହାରେ ମିନପାରେ ଆମ୍ବୁସ ଲଗାଇ ୧୭ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୨୦ଜଣ ମାଓବାଦୀ ଜଡିତ ଥିବା ମୁଲୁଗୁ ପୁଲିସ ସୂଚନା ଦେଇଛି। ଗିରଫ ହୋଇଥିବା ମାଓବାଦୀ ମଧ୍ଯରେ ଜଣେ ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ସମସ୍ତ ମାଓବାଦୀମାନେ ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲା ବାସିନ୍ଦା ରହିଛନ୍ତି। ଗିରଫ ମାଓବାଦୀଙ୍କ ଠାରୁ ୩ଟି ଇନସାନ୍ସ ରାଇଫଲ, ୪ଟି ଏସଏଲଆର ରାଇଫଲ, ୨ଟି ଗ୍ରେନେଡ଼, ଗୋଟିଏ ୩୦୩ ରାଇଫଲ, ୧୬ଟି ୧୨ବୋର ରାଇଫଲ, ୪ଟି ୮ଏମଏମ ରାଇଫଲ, ୧୭ଟି ଓ୍ବାକିଟକି, ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି।