୨୧ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ
ଭୁବନେଶ୍ୱର, (ୱାଇଏନ୍ଏସ୍ ) : ଆସନ୍ତା ୨୧ ତାରିଖରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଓଡ଼ିଶା ଗସ୍ତ ପାଇଁ ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଆୟୋଜିତ ଏହି ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ରାଷ୍ଟ୍ରପତିଙ୍କ ଆଗମନ ସମ୍ବନ୍ଧିତ ପ୍ରାପ୍ତ ସୂଚନା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସେବା ଯୋଗାଣକାରୀଙ୍କର ଆର.ଟି.ପି.ସି.ଆର ପ୍ରକ୍ରିୟାରେ କୋଭିଡ଼-୧୯ ପରୀକ୍ଷା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗ ଏବଂ ସମ୍ପୃ୍କ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଉରକେଲାରେ ହେବାକୁ ଥିବା ଏନ.ଆଇ.ଟି ସମାବର୍ତନ ଉତ୍ସବରେ ମଂଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ ଏବଂ ମଂଚ ଉପରୁ କୌଣସି ପ୍ରକାର ପ୍ରମାଣପତ୍ର ବା ଡିଗ୍ରୀ ଆଦି ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କର କୋଭିଡ଼ ଟେଷ୍ଟ କରାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିମାନ ବନ୍ଦର, ଗସ୍ତକାଳ ଏବଂ ରହଣୀ ଆଦି ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଉଦ୍ଦିଷ୍ଟ ଅଧିକାରୀ, ଗାଡ଼ିଚାଳକ ଏବଂ କର୍ମଚାରୀ ମାନଙ୍କର କୋଭିଡ଼୍ ଟେଷ୍ଟ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିମାନ ବନ୍ଦରଠାରୁ ଆରମ୍ଭ କରି ସଭାସ୍ଥଳ ଏବଂ ରହଣୀ ସ୍ଥାନ ଆଦି ସମସ୍ତ ସ୍ଥାନରେ କୋଭିଡ଼୍ ନିୟମର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।ବର୍ତମାନ ସୁଦ୍ଧା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ରାଷ୍ଟ୍ରପତି ୨୧ ତାରିଖ ଦିନ ରାଉରକେଲାସ୍ଥିତ ଜାତୀୟ ବୈଷୟିକ ପ୍ରତିଷ୍ଠାନର ବାର୍ଷିକ ସମାବର୍ତନ ଉତ୍ସବରେ ଯୋଗଦେବେ । ସେହି ଦିନ ରାଉରକେଲା ଇସ୍ପାତ୍ କାରଖାନାର ସୁପର ସ୍ପେସାଲିଟି ଡାକ୍ତରଖାନା ଉଦ୍ଘାଟନ କରିବେ । ପରଦିନ ରାଷ୍ଟ୍ରପତି ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଏବଂ ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ।ଏହି ଗସ୍ତ ଓ ସମସ୍ତ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ ଓ ଏସ.ଓ.ପି. ଅନୁସାରେ ସମସ୍ତ ଆୟୋଜନ ନିର୍ଭୁଲଭାବେ କରିବା ସହ ସେ ସବୁର ଆଗୁଆ ପରୀକ୍ଷା କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗ ଏବଂ ଅନୁଷ୍ଠାନ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ପୋଲିସ ଆରକ୍ଷୀ ମହା ନିରୀକ୍ଷକ ଅଭୟ କୁମାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ୍ ଚୋପ୍ରାଙ୍କ ସମେତ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଝାରସୁଗୁଡ଼ା, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାର ଜିଲ୍ଲାପାଳ ଏନ.ଆଇ.ଟି ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଂଟର ବରିଷ୍ଠ ଅଧିକାରୀମାନେ ଭିଡ଼ିଓ କନଫରେନ ସିଂ ମାଧ୍ୟମରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।


