୨୧୧୯ଜଣ ଛାତ୍ରଛାତ୍ରୀ ଦେଲେ ବୋର୍ଡ ପରୀକ୍ଷା
ହାଟଡିହି, (ବିକାଶ ବିଶ୍ୱାଳ) :-ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ହାଟଡିହି ବ୍ଲକର ୧୫ଟି ପରୀକ୍ଷାକେନ୍ଦ୍ରରେ ମୋଟ ୨୧୧୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା ପାଇଁ ସମସ୍ତ ପରୀକ୍ଷାକେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଥିବାବେଳେ କପି ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପରୀକ୍ଷାକେନ୍ଦ୍ରକୁ ପସିବା ପୁର୍ବରୁ ଛାତ୍ରଛାତ୍ରୀଙ୍କୁ ଚେକିଂ କରାଯାଇ ଭିତରକୁ ପ୍ରବେଶ କରାଯାଉଥିବାବେଳେ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ବାରଣ କରାଯାଇଛି । ସେହିପରି ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଗ୍ଲୁକୋଜ, ଓଆରଏସ ଏବଂ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଇଛି । କିଛି ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀ ମାନଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ମୋଟ ୨୩୮୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୧୯ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି । ୨୭୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ଜଣାଯାଇଛି । ଓରାଳି ପରୀକ୍ଷାକେନ୍ଦ୍ରରେ ୩୦ଜଣ ଦଶମ ଛାତ୍ରଛାତ୍ରୀ ଓ ୧୬ଜଣ ମଧ୍ୟମା ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବାବେଳେ ଷଡଙ୍ଗ ପରୀକ୍ଷାକେନ୍ଦ୍ରରେ ୨୯ଜଣ, ବିପି ହାଇସ୍କୁଲ ବାଙ୍ଗୋରରେ ୪୯ଜଣ, ଢ଼େଙ୍କା ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ୨୫ଜଣ, ବାଲିବରେଇରେ ୨୨ଜଣ, ଡଅଁର ପରୀକ୍ଷାକେନ୍ଦ୍ରରେ ୨୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ଜଣାଯାଇଛି । ଆଜି ପ୍ରଥମ ଦିନରେ ସବୁ ପରୀକ୍ଷାକେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ଜଣାଯାଇଛି ।


