୨୧୯ ଶ୍ରମିକଙ୍କୁ ଗୋପାଳପୁର ବନ୍ଦରରେ ନିଯୁକ୍ତି ପ୍ରସଙ୍ଗରେ, ତ୍ରିପାକ୍ଷିକ ବୈଠକ
ଛତ୍ରପୁର, : ଗୋପାଳପୁର ବନ୍ଦରରେ ବହୁବର୍ଷ ଧରି ଟ୍ରକ ଟ୍ରାନ୍ସପୋର୍ଟ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟ କରି ନିୟୋଜିତ ଥିବା ୨୧୯ ଜଣ ଶ୍ରମିକଙ୍କୁ ଏବେ ଛଟେଇ କରାଯାଇଛି । ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରାଦନ ଦାବିରେ ମଙ୍ଗଳବାର ଦିନ ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଏହି ଶ୍ରମିକମାନଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା । ଏହି ସଂକ୍ରାନ୍ତରେ ବୁଧବାର ସନ୍ଧ୍ୟାରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖ ଠାରୁ ୫୦୦ ମିଟର ମଧ୍ୟରେ ଆନ୍ଦୋଳନ, ଧାରଣା ଏବଂ ସଭାସମିତି ହୋଇପାରିବ ନାହିଁ ବୋଲି ଗତ ୧୫ ତାରିଖରେ ଛତ୍ରପୁର ସହକାରୀ ଦୌରା କୋର୍ଟଙ୍କ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମାର ଖୁଲମ୍ଖୁଲା ଉଲ୍ଲଂଘନ କରି ଧାରଣା ଦିଆଯାଇଥିବା ନେଇ ଶ୍ରମିକମାନଙ୍କୁ ଉପଜିଲ୍ଲାପାଳ ତାଗିଦ୍ କରିଥିଲେ । କୋର୍ଟକୁ ସମ୍ମାନ ଦେବା ଆବଶ୍ୟ ରହିଛି । ଯାହା ସମସ୍ୟା ରହିଛି ତାହାକୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦର କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଠାରେ ଜଣାଇଲେ କିଛି ପଦକ୍ଷେପ ନିଆଯିବ । ଶ୍ରମିକମାନଙ୍କ ରହିଥିବା ସମସ୍ୟା ଉପରେ ଏକ ସପ୍ତାହ ମଧ୍ୟରେ ୨୧୯ ଜଣ ଶ୍ରମିକଙ୍କ ପରିଚୟ ପତ୍ରକୁ ଜିଲ୍ଲା ଶ୍ରମ ଅଧିକାରୀ ଓ ଗୋପାଳପୁର ବନ୍ଦର ଏଚ୍.ଆର୍. ବିଭାଗ ପକ୍ଷରୁ ଯାଂଚ କରାଯିବ । ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଏକ ତ୍ରିପାକ୍ଷିକ ବୈଠକର ଆୟୋଜନ କରି ଶ୍ରମିକମାନଙ୍କ ନିଯୁକ୍ତି ସମ୍ବନ୍ଧରେ ଆଲୋଚନା କରାଯିବ । ଉକ୍ତ ଦିନ ପର୍ଯ୍ୟନ୍ତ ଶ୍ରମିକମାନେ ଆଇନକୁ ହାତକୁ ନ ନେବା ପାଇଁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ନୀଳମାଧବ ଭୋଇ, ବ୍ରହ୍ମପୁର ଡିଭିଜନ ଶ୍ରମ କମିଶନର ଦିପ୍ତୀ ରଂଜନ ମହାନ୍ତି, ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁ, ଗୋପାଳପୁର ବନ୍ଦରର ଭାଇସ୍ ପ୍ରେସିଡେଣ୍ଟ ଏସ୍.କେ.ମହାପାତ୍ର, ସାମୁଦ୍ରିକ ଥାନା ଅଧିକାରୀ ଶର୍ମିଷ୍ଟା ପ୍ରଧାନ, ଗୋପାଳପୁର ପୋର୍ଟ କର୍ମଚାରୀ ସଂଘର ସଭାପତି ଦାନିଏଲ ଦାସ, ଡକ୍ ୱାର୍କର୍ସ ୟୁନିୟନ୍ ସଭାପତି ଜି.ଏରେୟା, ମଜଦୂର ୟୁନିୟନ୍ ସଭାପତି କେ.ଏଲେୟା, ସଂପାଦକ ପି.ରାମବାବୁଙ୍କ ସମେତ ବହୁ ଶ୍ରମିକମାନେ ଉପସ୍ଥିତ ଥିଲେ ।


