୨୧ ଯାଏ ବର୍ଷା ସମ୍ଭାବନା !
ଆଜିଠୁ ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।
୧୮ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସହିତ ରାଜ୍ୟର ଆଉ ଗୋଟିଏ ଦୁଇଟି ସ୍ଥାନରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହିତ ଏହି ସବୁ ସ୍ଥାନ ଗୁଡ଼ିକରେ ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବାର ସୂଚନା ରହିଛି।