୨୨ରୁ ଆନ୍ତର୍ଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ଆସନ୍ତା ୨୨ ତାରିଖ ଠାରୁ ୨୮ତମ ଆନ୍ତର୍ଜାତୀୟ ପ୍ରଦୀପ ମେମୋରିଅଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍ ଆରମ୍ଭ ହେବ । ଏନେଇ ଟିଲୋ ଆଥ୍ଲେଟିକ୍ ଆସୋସିଏସନ ପକ୍ଷରୁ ଆଜି ମିନି ଷ୍ଟାଡିୟମ ଠାରେ ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁଙ୍କ ଆବାହକତ୍ୱରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ, ୟୁନିୟନ ସ୍ପୋଟିଂ କଟକ, ଡି.ୱାଇ. ପାଟିଲ୍ ମୁମ୍ବାଇ, ରାଜସାହି ବାଙ୍ଗଲାଦେଶ, ଭି.ଟି.ସି.ଏ ନାଗପୁର, ମାନିଗ୍ରିଭ୍ ରାୟପୁର ଆଦି ୬ଟି ଦଳ ଭାଗ ନେବେ । ଏହି ୬ଟି ଦଳ ୨ଟି ପୁଲରେ ମ୍ୟାଚ୍ ଖେଳିବେ । ୨୨ରେ ଉଦ୍ଘାଟନୀ ମ୍ୟାଚ୍ ପୂର୍ବରୁ ୫ରୁ ୬ଟି କଲ୍ଚରାଲ ଟ୍ରପୁଙ୍କ ଦ୍ୱାରା ରଂଗାରଂଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଦ୍ଘାଟନୀ ମ୍ୟାଚ୍ ଭି.ଟି.ସିଏ ନାଗପୁର ସହିତ ମାନିଗ୍ରିଭ୍ ରାୟପୁର ମଧ୍ୟରେ ଅନୁଷ୍ଠିତ ହେବ । ୨୨ ଓ ୨୩ରେ ଗୋଟିଏ କରି ଏବଂ ୨୪ ଓ ୨୫ରେ ଦୁଇଟି କରି ମ୍ୟାଚ୍ ଅନୁଷ୍ଠିତ ହେବ । ପୁଲ୍ ମ୍ୟାଚ୍ ସରିବା ପରେ ପ୍ରତ୍ୟେକ ପୁଲ୍ରୁ ଟପ୍ ଦୁଇଟି ଟିମ୍ ସେମିଫାଇନାଲକୁ ଯିବେ । ୨୬ ଓ ୨୭ରେ ଦୁଇଟି ସେମିଫାଇନାଲ ଓ ୨୯ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିସହ ଫାଇନାଲ ମ୍ୟାଚ୍ ଦିନ ଟି-୨୦ ମହିଳା କ୍ରିକେଟ ପ୍ରଦର୍ଶନୀ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିରେ ଓଡିଶା ଓ ପଶ୍ମିମ ବଙ୍ଗର ଦୁଇଟି ପ୍ରତିଷ୍ଠିତ ମହିଳା କ୍ରିକେଟ ଟିମ୍ ଭାଗ ନେବେ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଗୁଡିକ ୪ଟି ଚ୍ୟାନେଲ ମାଧ୍ୟମରେ ସାରା ବିଶ୍ୱରେ ଲାଇଭ୍ ଟେଲିକାଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସଂପାଦକ ଅସିତ କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସ୍ମୃତି ରଂଜନ ସ୍ୱାଇଁ, ରମେଶ ଜେନା, , ତ୍ରିଲୋଚନ ପଣ୍ଡା, ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ସେକ୍ ୟାକତ୍ ଅଲ୍ଲୀ, ଅଶୋକ ଦାସ ଉପସ୍ଥିତ ଥିଲେ । ସମ୍ମିଳନୀ ପରିଚାଳନାରେ ରମେଶ ଚନ୍ଦ୍ର ବେହୁରା, ରମାକାନ୍ତ ପାଣିଗ୍ରାହୀ, ମାଧବାନନ୍ଦ ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ନାୟକ, ସଂଜୟ ସାମଲ, ସୁରେନ୍ଦ୍ର ନାୟକ, ସୁଧାକର କୁଅଁର, ମଣିଭଦ୍ର ସାହୁ, ପବିତ୍ର ପୃଷ୍ଟି, ପର୍ଶୁରାମ ସାହୁ, ସନ୍ତୋଷ ଧଳ, ଗୋବିନ୍ଦ ଧଳ, ଧନେଶ୍ୱର ଧଳ ସହଯୋଗ କରିଥିଲେ ।


