୨୩କୋଟି ଟଙ୍କାରୁ ଉର୍ଦ୍ଧ ଚୋରା ଗଞ୍ଜେଇ ଚାଷ ପୋଡାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଏସ୍.କେ.ସେଠୀଙ୍କ ତତ୍ୱାବଧାନରେ ପୁଣି ୨୩କୋଟିରୁ ଉର୍ଦ୍ଧ ଟଙ୍କାର ଚୋରା ଗଞ୍ଜେଇ ଚାଷକୁ ପୋଡି ଦିଆଯାଇଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆର୍.ଉଦୟଗିରି ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଚଢାଉ କରାଯାଇ ୨୩ କୋଟି ୭୭ ଲକ୍ଷ ୬୦ଟଙ୍କାର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଥିବାର ଜଣାପଡିଛି । ନୂଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁରୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲାଟିଙ୍ଗି ମୌଜାଅଞ୍ଚଳର ପ୍ରାୟ ୧୧୮.୮୮ ଏକର ଚାଷ ଜମିରେ ଏହି ଗଞ୍ଜେଇ ଚାଷ ହେଉଥିଲା । ଏଥିରେ ପ୍ରାୟ ୨ଲକ୍ଷ ୩୭ହଜାର ୭୬୦ ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ନଷ୍ଟ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ଭାବେ ଆର୍.ଉଦୟଗିରି ତହସିଲଦାର ନାରାୟଣ ବେହେରାଙ୍କ ସମେତ ସମ୍ବଲପୁର ଅମିନ ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିବାର ଆର୍.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା ଜଣାଇଛନ୍ତି । ଏନେଇ ଆର୍.ଉଦୟଗରି ଥାନାରେ ୧୭୨/୨୧ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ ।


