୨୩ରୁ ତିନି ଦିନିଆ ପଲସ ପଲିଓ ଅଭିଯାନ
ବାଲେଶ୍ୱର, (ସରୋଜ ପଣ୍ଡା) :ପଲସ ପୋଲିଓ ଏବଂ କୋଭିଡ-୧୯ ଟିକାକରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟିର ଏକ ବୈଠକ ଜିଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଲସ ପୋଲିଓ ଏବଂ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏସଏମଓ ଡା. ଅର୍ଚ୍ଚନା ଗାଏନ, ଏଡିପିଏଚଓ ଡା. ଶଶାଙ୍କ ଶେଖର ଚୌଧୁରୀ ପ୍ରମୁଖ ଏଥିରେ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବା ସାଙ୍ଗକୁ ସାମ୍ପ୍ରତିକ କୋଭିଡ ପରିଚାଳନା ଓ ଟିକାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ସମ୍ମିଳନୀ କକ୍ଷରେ ଉପସ୍ଥିତ ଅଧିକାରୀମାନେ ଏଥିରେ ଆଭାସୀ(ଭର୍ଚୁଆଲ)ରେ ଯୋଗ ଦେଇଥିଲେ । ଆସନ୍ତା ଜାନୁଆରୀ ୨୩, ୨୪ ଓ ୨୫ ତାରିଖରେ ହେବାକୁ ଥିବା ପଲସ ପୋଲିଓ ଅଭିଯାନକୁ ସଫଳ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ସମଗ୍ର ଜିଲ୍ଲାରେ ୨ଲକ୍ଷ ୧୨ହଜାର ୪୫୮ଜଣ ଶିଶୁଙ୍କୁ(୦ରୁ ୫ର୍ଷ) ପୋଲିଓ ବୁନ୍ଦା ଖୁଆଇବା ପାଇଁ ଏଥର ଲକ୍ଷ୍ୟ ରଖାଯାଇଛି । ଏନେଇ ୧୦୬୩ଟି ବୁଥ ସ୍ଥାପନ ସହ ୪୨୫୨ଜଣ ସ୍ୱାସ୍ଥ୍ୟକର୍ମୀ(ଏଏନଏମ, ଅଙ୍ଗନୱାଡି ଓ ଆଶାକର୍ମୀ) ଏବଂ ୨୦୯ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ପଲସ ପୋଲିଓ ଅଭିଯାନରେ ନିୟୋଜିତ ହେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀମାନେ କୋଭିଡ୍-୧୯ବୁଷ୍ଟର ଡୋଜ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାରେ କୋଭିଡ୍-୧୯ ଟିକାକରଣ ସ୍ଥିତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ଅଭିଯାନରେ ଘରକୁ ଘର ଯାଇ କୋଭିଡ୍ ଟିକା ପ୍ରଦାନ ପାଇଁ ସେ କହିଥିଲେ । ଡିପିଏମ ଅନୀଲ ମହାନ୍ତି, ଡିଏମଆରସିଏଚ ଏଲିନା ସାମଲ, ଜିଲ୍ଲା ଡାଟା ମ୍ୟାନେଜର ହରେକୃଷ୍ଣ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ, ବିଭିନ୍ନ ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।