୨୩ରେ ଜିଲା ଟ୍ରକ, ଖାଦାନ ଓ କ୍ରସର ମାଲିକ ମହାସଂଘର ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ଉପ-ଜିଲାପାଳଙ୍କୁ ଆକ୍ରମଣ ପରେ ସମ୍ପ୍ରତି ପ୍ରଶାସନ ପକ୍ଷରୁ ଚାଲିଥିବା ଚଢ଼ଉକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବାଲେଶ୍ୱର ଜିଲା ଟ୍ରକ, ଖାଦାନ ଓ କ୍ରସର ମାଲିକ ମହାସଂଘ । ଲଘୁ ଖଣିଜ ପଦାର୍ଥ ଚାଲାଣ ରୋକିବା ଆଳରେ ଆକ୍ରୋଶମୂଳକ ଚଢ଼ଉ ନ କରି ସ୍ଥାୟୀ ନୀତି ନିର୍ଦ୍ଧାରଣ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର କର୍ମକର୍ତ୍ତାମାନେ ଦାବି ଉଠାଇଛନ୍ତି । ସ୍ଥାନୀୟ ମାଆ ଇଣ୍ଟରନ୍ୟାସନାଲ ହୋଟେଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଉପଦେଷ୍ଟା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ସୁଦର୍ଶନ ଜେନା ଯୋଗଦେଇ ପ୍ରଶାସନର ଚଢ଼ଉ ଧାରାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଯେଉଁଗାଡ଼ି ମାଇନର ମିନେରାଲ ଚୋରା ଚାଲାଣ କରୁଛିି, ତାକୁ ଜବତ ସହ ଜରିମାନା ଆଦାୟ କରନ୍ତୁ, ମାତ୍ର ବିନା କାରଣରେ ଆକ୍ରୋଶ ମୂଳକ ଭାବେ ଗାଡ଼ିକୁ ଯେଉଁଠି ସେଇଠି ଅଟକାଇ ଜୋର ଜବରଦସ୍ତ ଜରିମାନା ଆଦାୟ କରିବାର ପ୍ରକୃତ ଉଦ୍ଦେଶ୍ୟ କ’ଣ ବୋଲି ସେମାନେ ପ୍ରଶ୍ନ କରିଥଲେ । ବାଲେଶ୍ୱର ସହରର ପ୍ରମୁଖ ସ୍ଥାନରେ ଯାଜପୁର ଓ ଆନନ୍ଦପୁରରୁ ବାଲି ଆଣି ଗଦାଉଥିବା ବଡ଼ ବଡ଼ ଗାଡ଼ିରୁ ପ୍ରଶାସନ କେବେ ଜରିମାନା ଆଦାୟ କରୁନାହିଁ । ମାତ୍ର ସେହି ଷ୍ଟକ ପଏଣ୍ଟରୁ ଗୃହ ନିର୍ମାଣ ପାଇଁ ମାତ୍ର ୨ଶହ ମିଟର ଦୂରକୁ ବାଲି ନେଉଥିବା ଟ୍ରାକ୍ଟର ମାଲିକଙ୍କଠାରୁ ୧୫/୨୦ ହଜାର ଟଙ୍କାର ଜରିମାନା ଆଦାୟ କେଉଁ ନ୍ୟାୟରେ ବୋଲି ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ଜିଲାରେ ଅଫିସର ରାଜ ଚାଲିଥିବା ବେଳେ ନ୍ୟାୟ ପାଇଁ ଆନ୍ଦୋଳନ ହିଁ ଏକମାତ୍ର ପନ୍ଥା ବୋଲି ସେ ମତ ଦେଇଛନ୍ତି । ସେହିଭଳି ଜମି କିସମ ପରିବର୍ତ୍ତନ କରି ପ୍ରଶାସନ ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିବା ବେଳେ କିସମ ପରିବର୍ତ୍ତିତ ଜମିରେ ଘର ତିଆରି ପାଇଁ ମାଟି ଓ ବାଲି ଫିଲିଙ୍ଗ କରୁଥିବା ଗାଡ଼ିରୁ ଜରିମାନା ଆଦାୟ ଚାଲିଛି । ଧାର୍ଯ୍ୟ ପରିମାଣ ରାଜସ୍ୱ ଲକ୍ଷ୍ୟ ପୂରଣ ପାଇଁ ପ୍ରଶାସନ ଏଭଳି ଜୋର ଜବରଦସ୍ତ ଜରିମାନା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସଂଗଠନର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଜିଲା ପ୍ରଶାସନ ଆକ୍ରୋଶ ମୂଳକ ଚଢ଼ଉରୁ ନିବୃତ୍ତ ହୋଇ ତୁରନ୍ତ ଲଘୁ ଖଣିଜ ସାମଗ୍ରୀ ପରିବହନ ପାଇଁ ସ୍ଥାୟୀ ନୀତି କାର୍ଯ୍ୟକାରୀ ନିମନ୍ତେ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏନେଇ ଆସନ୍ତା ୨୩ ତାରିଖରେ ସଂଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ଆଗାମୀ ସପ୍ତାହ ମଧ୍ୟରେ ଜାତୀୟ ରାଜପଥ ଅବରୋଧ ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ସଂଗଠନର ଉପ-ସଭାପତି ଶିଶିର କୁମାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରଣବ ଦେବଗୋସ୍ୱାମୀ, ସହ-ସମ୍ପାଦକ ସତ୍ୟରଂଜନ ପାଣିଗ୍ରାହୀ, ଜିଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ ପ୍ରମୁଖ ଯୋଗଦେଇ ପ୍ରଶାସନର ଆକ୍ରୋଶମୂଳକ ଚଢ଼ଉକୁ ତୀବ୍ର ସମାଲୋଚନା ସହ ସ୍ଥାୟୀ ନୀତି କାର୍ଯ୍ୟକାରୀ ପାଇଁ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ବହୁ ଟ୍ରକ, ଟ୍ରାକ୍ଟର, କ୍ରସର ଓ ଖାଦାନ ମାଲିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ