୨୩ ତାରିଖରୁ ଗଞ୍ଜାମ ଜିଲ୍ଲା ପରିଭ୍ରମଂଣ କରିବ ଅହିଂସା ରଥ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବାଧୀନତା ସଂଗ୍ରାମରେ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନ ମାନସରେ ଉଜ୍ଜିବୀତ ରଖିବା ଉଦ୍ଦେଶ୍ୟରେ ଓଡିଶା ସରକାର ରାଜ୍ୟ ବ୍ୟାପୀ ଅହିଂସା ରଥ ପରିଭ୍ରମଣ କରିବା ନେଇ କାର୍ଯ୍ୟକ୍ରମ ଚାଲିଛି । ଗତ ମାସ ସ୍ବାଧୀନତା ଦିବସ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ଏହି ରଥ ପରିଭ୍ରମଣ କରିବା ନେଇ ଉଦ୍ଘାଟନ କରିଥିଲେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ୍ ମହୋତ୍ସବ କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜିତ ହେଉଛି । ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର ମୂଳମନ୍ତ୍ର ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି । ଅହିଂସାର ବାର୍ତ୍ତା ବହନ କରି ଏହି ରଥ ଦୁଇଟି ଗଞ୍ଜାମ ଜିଲ୍ଲାକୁ ଚଳିତ ମାସ ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ଗସ୍ତ କରିବାର କାର୍ଯ୍ୟକ୍ରମ ଚୁଡାନ୍ତ କରାଯାଇଅଛି । ରଥ ଦୁଇଟି ଗଜପତି ଜିଲ୍ଲାରୁ ୨୩ ତାରିଖ ଦିନ ତପ୍ତପାଣି ଠାରେ ଗଞ୍ଜାମ ଜିଲ୍ଲାକୁ ହସ୍ତାନ୍ତରିତ ହେବ । ସେହିଠାରୁ ୨୩ ତାରିଖ ଦିନ ଗୋଟିଏ ଅହିଂସା ରଥ ସାନ ଖେମୁଣ୍ଡି, ଦିଗପହଣ୍ଡି, ଶେରଗଡରେ ପରିଭ୍ରମଣ କରିବ । ଅନ୍ୟ ରଥଟି ଉକ୍ତ ଦିନ ଚିକିଟି ପାତ୍ରପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୨୪ ତାରିଖ ଦିନ ହିଞ୍ଜିଳି, ଆସ୍କା ଏବଂ ଧରାକୋଟ ପରିଭ୍ରମଣ କରିବ । ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସକାଳ ୮.୦୦ଘ. ସମୟରେ ମଣ୍ଡଳ କାରାଗାର, ସକାଳ ୯.୦୦ଘ. ସମୟରେ ଆଇ.ଟି.ଆଇ., ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହା ବିଦ୍ୟାଳୟ,, ଖଲ୍ଲିକୋଟ କଲେଜ ଖେଳପଡିଆ, ମଧୁ ଭବନ, ବାରାକ୍ସ, ଗାନ୍ଧିନଗର ଛକ, ଆସ୍କା ରୋଡ୍, ରାମ ଲିଙ୍ଗମ୍ ଟ୍ୟାଙ୍କ ଏବଂ ସଂଧ୍ୟା ୬.୦୦ଘ. ସମୟରେ ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ୍ ହଲ୍ ଠାରେ ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନ ସହ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୫ ତାରିଖ ଦିନ ଗୋଟିଏ ରଥ ସୋରଡା, ବେଲଗୁଣ୍ଠା, ଭଞ୍ଜନଗର ଗସ୍ତ କରିବ ଏବଂ ଅନ୍ୟ ରଥଟି କୁକୁଡାଖଣ୍ଡି, ରଙ୍ଗେଇଲୁଣ୍ଡା ଏବଂ ଗୋପାଳପୁର ଗସ୍ତ କରିବ ଏବଂ ସେଠାରେ ସଂଧ୍ୟା ୬.୦୦ ଘ. ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୬ ତାରିଖ ଦିନ ଜଗନ୍ନାଥ ପ୍ରସାଦ, ବୁଗୁଡା, ପୋଲସରା ଏବଂ ଆଉ ଗୋଟିଏ ରଥ ପୁରୁଷତ୍ତମ ପୁର ଓ ଛତ୍ରପୁର ଗସ୍ତ କରିବ । ସେହି ଭଳି ୨୭ ତାରିଖ ଦିନ କବିସୂର୍ଯ୍ୟ ନଗର, ବେଗୁନିଆପଡା, ଗୋଟିଏ ଅହିଂସା ରଥ ଗସ୍ତ କରିବା ବେଳେ ଅନ୍ୟ ରଥଟି ଗଞ୍ଜାମ, ରମ୍ଭା ଏବଂଖଲ୍ଲିକୋଟ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି । ଏହି ଅହିସା ରଥ ଗସ୍ତ କରିବା ସମୟରେ ଜିଲ୍ଲାର ସମସ୍ତ ସ୍ଥାନରେ ସ୍ବାଗତସମ୍ବର୍ଦ୍ଧନା ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ସ୍ଥାନୀୟ ଅଞ୍ଚଳର, ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଗାନ୍ଧୀଙ୍କ ଆଦର୍ଶ, ନୀତି ଏବଂ ସ୍ବାଧୀନତା ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲାର ଅବଦାନ ସମ୍ପର୍କିତ “ଅହିଂସା ସାରଥୀ- ମୁକ୍ତି ପଥର ଯାତ୍ରୀ” ନାଟକ ଗଞ୍ଜାମ କଳା ପରିଷଦ ଏବଂ ସାଶ୍ବତି ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ, ବ୍ରହ୍ମପୁର ଯୁବ କଳାକାର ମାନଙ୍କ ଦ୍ବାରା ପରିବେଷଣ ହେବ । ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଦେବେ । ଗଞ୍ଜାମ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସମ୍ପର୍କିତ ଏବଂ ପୁସ୍ତକ ଗଞ୍ଜାମର ଶହୀଦ୍ ସଂଗ୍ରାମୀର ଲୋକାର୍ପଣ ଜିଲ୍ଲା ସ୍ତରୀୟ ଉତ୍ସବରେ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ