୨୪ତମ ଚାନ୍ଦିପୁର ସ୍ବର୍ଣ୍ଣ ବେଳାଭୂମି ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):୨୪ତମ ଚାନ୍ଦିପୁର ସ୍ବର୍ଣ୍ଣ ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଚାନ୍ଦିପୁର ସ୍ବର୍ଣ୍ଣ ବେଳାଭୂମି ମହୋତ୍ସବର ପ୍ରସ୍ତାବିତ ତାରିଖ ଏବଂ ଉତ୍ସବର ବଜେଟ୍, ବିଭିନ୍ନ ଉପ-କମିଟି ଗଠନ, ପାନ୍ଥନିବାସ ଛକରୁ ସମୁଦ୍ରକୂଳ ପର୍ଯ୍ୟନ୍ତ ରାସ୍ତାର ମରାମତି, ପର୍ବ ଅବଧିରେ ନିରନ୍ତର ବିଦ୍ୟୁତ୍ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମୁଦ୍ର କୂଳ କାର୍ଯ୍ୟକଳାପ, ଅଗ୍ନି ନିରାପତ୍ତାର ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପାର୍କିଂ ସ୍ଥାନ ଚୟନ, ପ୍ରଥମ ସହାୟତା କେନ୍ଦ୍ର ଏବଂ ଖାଦ୍ୟର ମାନ ପରିଚାଳନା, ପଞ୍ଚାୟତ ଏବଂ ପର୍ଯ୍ୟଟନ ବିଭାଗ ଦ୍ୱାରା ସମୁଦ୍ରକୂଳ ସଫା କରିବା, ବେଳାଭୂମି କ୍ରୀଡା ଆୟୋଜନ ଭଳି ବିଷୟ ଉପରେ ଉପସ୍ଥିତ ଥିବା ଅତିଥିମାନେ ଆଲୋଚନା କରିଥିଲେ I ପ୍ରତିବର୍ଷ ଆନନ୍ଦ ଓ ଉଲ୍ଲାସରେ ପାଳିତ ହେଉଥିବା ଏହି ମହୋତ୍ସବକୁ ଚଳିତ ବର୍ଷ କିଭଳି ଭାବରେ ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନଙ୍କ ମିଳିତ ସହଯୋଗରେ ସଫଳ କରାଯାଇ ପାରିବ ସେଥି ପ୍ରତି ମଞ୍ଚାସୀନ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବିଧାୟକ, ବାଲେଶ୍ୱର ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତ, ସହକାରୀ ଜିଲ୍ଲାପାଳ (ନିଜ଼ାରତ) ଶ୍ରୀ ଶୈଳେଶ ଚନ୍ଦ୍ର ଦାସ, ବେଳାଭୂମି ମହୋତ୍ସବ କମିଟିର ସଚିବ ଶ୍ରୀ ହରେ କୃଷ୍ଣ ଦାସ, ବେଳାଭୂମି ମହୋତ୍ସବ କମିଟିର ସଭାପତି ଶ୍ରୀ ଜୀବନ ପ୍ରଦୀପ ଦାସ ମଞ୍ଚାସୀନ ଥିବା ବେଳେ ଜିଲ୍ଲାସ୍ତରୀୟ ଅନେକ ବରିଷ୍ଠ ଅଧିକାରୀ, ବେଳାଭୂମି ମହୋତ୍ସବ କମିଟିର କର୍ମକର୍ତ୍ତା, ସ୍ବେଛାସେବୀ ଅନୁଷ୍ଠାନ ଅଧିକାରୀ ବୃନ୍ଦ ଏବଂ ସମାଜସେବୀ ଯୋଗ ଦେଇ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


