୨୪ବର୍ଷ ପରେ ମୁଲାୟମ୍-ମାୟାବତୀ ଏକାଠି
ମୈନପୁର(ଏଜେନ୍ସି): ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁଲାୟମ ସିଂହ ଯାଦବ ଓ ମାୟାବତୀ ଆଜି ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ବସି ପରସ୍ପରର ଗୁଣଗାନ କରିବା ଦେଖିବାକୁ ମିଳିଛି । ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ମୈନପୁର ଆସନରୁ ମୁଲାୟମ ସିଂହ ଯାଦବ ପ୍ରାର୍ଥୀ ହୋଇଥିବା ବେଳେ ଆଜି ପ୍ରଚାର ଉଦ୍ଦେଶ୍ୟରେ ଏଥିପାଇଁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ବହୁଜନସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି (ଏସ୍ପି) ସଭାପତି ଅଖିଳେଶ ଯାଦବ ମଧ୍ୟ ଯୋଗଦେଇଥିଲେ । ପ୍ରକାଶ ଯେ, ଉତ୍ତରପ୍ରଦେଶରେ ବିଏସ୍ପି-ଏସ୍ପି-ଆରଏଲ୍ଡି ମଧ୍ୟରେ ମହାମେଣ୍ଟ ଗଠନ ହୋଇଛି । ବିଜେପି ଓ କଂଗ୍ରେସକୁ ଉତ୍ତରପ୍ରଦେଶରୁ ଦୂରେଇ ରଖିବାକୁ ଏହି ତିନି ଦଳ ଏବେ ଏକ୍ଜୁଟ୍ ହୋଇ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚେଷ୍ଟା ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ମହାମେଣ୍ଟ ପକ୍ଷରୁ ଜୋରଦାର ପ୍ରଚାର ମଧ୍ୟ କରାଯାଉଛି । ତେବେ ମୈନ୍ପୁର ଆସନରୁ ସାଂସଦ ପ୍ରାର୍ଥୀ ଭାବେ ମୁଲାୟମ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଆଜି ମାୟାବତୀଙ୍କୁ ଆଜିର ପ୍ରଚାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏହି ସଭାରେ ଏସ୍ପିର ସଂସ୍ଥାପକ ତଥା ପ୍ରମୁଖ ମୁଲାୟମ ସିଂହ ଯାଦବ ପ୍ରଥମେ ଉଦ୍ବୋଧନ ଦେଇ ମାୟାବତୀଙ୍କ ପ୍ରଶଂସା କରିଥିଲେ । ପରେ ପରେ ମାୟାବତୀ ମଧ୍ୟ ନିଜ ଉଦ୍ବୋଧନରେ ମୁଲାୟମ ସିଂହଙ୍କୁ ବେଶ୍ ପ୍ରଶଂସା କରିଥିଲେ । ମାୟାବତୀ କହିଥିଲେ ଯେ, ମୈନପୁରବାସୀ ଗତ ୧୫ବର୍ଷ ଧରି ମୁଲାୟମ୍ଙ୍କୁ ଯେଉଁ ପ୍ରକାର ସ୍ନେହ, ଭଲପାଇବା ଦେଇଆସିଛନ୍ତି, ଏହା ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ସେ ଆଶାବାଦୀ । ଉତ୍ତରପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ସର୍ବଦା ସବୁଶ୍ରେଣୀର ଉନ୍ନତି କରି ଆସିଛି । ସେ ପଛୁଆ ଓ ଦଳିତ ବର୍ଗଙ୍କ ପ୍ରକୃତ ନେତା । ମୋଦିଙ୍କ ଭଳି ମିଛୁଆ ଓବିସି ନେତା ନୁହଁନ୍ତି । ମୈନ୍ପୁର ଆସନରୁ ଦୀର୍ଘ ୧୫ ବର୍ଷ ଧରି ମୁଲାୟମ୍ ଜିତି ଆସୁଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ମୁଲାୟମ୍ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ଜିତିବେ ବୋଲି ସେ ଦୃଢ଼ ନିଶ୍ଚିତ ବୋଲି ମାୟାବତୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ଉଭୟ ମାୟାବତୀ, ଅଖିଳେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଉପରେ ଜୋରଦାର ଆକ୍ରମଣ କରିଥିଲେ । ବିଜେପି ଓ ମୋଦି କେବଳ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିବା ଉଭୟ କହିଥିଲେ ଚଳିତ ଲୋକସଭା ନିର୍ବାଚନ ଦୃଷ୍ଟିକୋଣରୁ ବହୁଜନସମାଜ ପାର୍ଟି (ବିଏସ୍ପି) ଏବଂ ସମାଜବାଦୀ ପାର୍ଟି (ଏସ୍ପି) ମଧ୍ୟରେ ମେଣ୍ଟ ଗଠନ ହୋଇଛି । ଉଭୟ ଦଳ ଆସନ ବୁଝାମଣା ପୂର୍ବକ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ତେବେ ଏହି ଅବସରରେ ୧୯୯୫ରେ ଘଟିଥିବା ମୀରାବାଈ ଗେଷ୍ଟହାଉସ୍ ଘଟଣା ମନେପଡେ ।ବାବ୍ରୀ ମସ୍ଜିଦ୍ ଘଟଣା ପରେ ୧୯୯୩ରେ ତକ୍ରାଳୀନ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ ଏବଂ ବିଏସ୍ପି ଅଧ୍ୟକ୍ଷ କାଶୀରାମ ବିଜେପିକୁ ରୋକିବା ପାଇଁ ମେଣ୍ଟ କରିଥିଲେ । ଯାହାକୁ ବିପୁଳ ସମର୍ଥନ ମଧ୍ୟ ମିଳିଥିଲା । ମୁଲାୟମ ସିଂହଙ୍କ ନେତୃତ୍ୱରେ ଏହି ମେଣ୍ଟ ସରକାର ଗଠନ କରିଥିଲା । ମାତ୍ର ଏହା ଅଧିକ ଦିନ ତିଷ୍ଠି ରହିପାରିନଥିଲା । ପ୍ରସଙ୍ଗକ୍ରମେ ୧୯୯୫ର ଏକ ରାଲିରେ ମାୟାବତୀ ମେଣ୍ଟ ଭାଙ୍ଗିବା ନେଇ ହଠାତ୍ ଘୋଷଣା କରିଥିଲେ । ଏହାର କିଛି ଦିନ ପରେ ଅର୍ଥାତ୍ ୨ ଜୁନ୍ ୧୯୯୫ରେ ମାୟାବତୀ ନିଜ ବିଧାୟକମାନଙ୍କ ସହ ଲକ୍ଷେ୍ନøର ମୀରାବାଇ ଗେଷ୍ଟ ହାଉସର ରୁମ୍ ନମ୍ବର ୧ରେ କିଛି ଆଲୋଚନା କରୁଥିବା ସମୟରେ ହଠାତ୍ ସମାଜବାଦୀ ପାର୍ଟିର କେତେକ ନେତା ଓ କର୍ମୀ ସେଠାରେ ପହଞ୍ôଚ ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ । ମାୟାବତୀଙ୍କ ସହ ଖରାପ ବ୍ୟବହାର କରିବା ସହ ଅପଶବ୍ଦ ବ୍ୟବହାର କରିଥିଲେ । ଏପରିକି ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ତାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଉଦ୍ୟମ ମଧ୍ୟ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା, ନିଜକୁ ବଞ୍ଚାଇବା ପାଇଁ ମାୟାବତୀ ଏକ ରୁମ୍ରେ ନିଜକୁ ବନ୍ଦ କରି ରଖିବାକୁ ବାଧ୍ୟ ହୋଇଥିଲେ । ବହୁଜନସମାଜ ପାର୍ଟିର କିଛି ପୁରୁଷ କର୍ମକର୍ତ୍ତାଙ୍କୁ ସେମାନେ ମାଡ ମାରି ଲହୁଲୁହାଣ କରିପକାଇଥିଲେ । ତେବେ ଏହି ଘଟଣାରେ ମାୟାବତୀ ନିଜକୁ ଅପମାନିତ ମନେ କରିଥିଲେ ଏବଂ ସମାଜବାଦୀ ପାର୍ଟି ସହ ସବୁଦିନ ପାଇଁ ଦୂରତା ବଜାୟ ରଖିବାକୁ ସଂକଳ୍ପ ନେଇଥିଲେ । ଅବଶ୍ୟ ଏହି ଘଟଣାକୁ ନେଇ ମୁଲାୟମ ସିଂହଙ୍କ ସରକାରକୁ ବରଖାସ୍ତ କରାଯାଇଥିଲା, କିନ୍ତୁ ଏସବୁ ମାୟାବତୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ମାୟାବତୀଙ୍କ ଜୀବନୀ ଉପରେ ଆଧାରିତ ବହି ‘ବେହନ ଜୀ’ରେ ମଧ୍ୟ ଏହି ଘଟଣା ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଛି । କିଛି ଲୋକ ପ୍ରଶ୍ନ କରିଛନ୍ତି, ମାୟାବତୀ ୨୪ବର୍ଷ ତଳେ ନେଇଥିବା ସଂକଳ୍ପ କୁଆଡେ ଗଲା? ଗେଷ୍ଟ ହାଉସରେ ତାଙ୍କୁ ମିଳିଥିବା ନିର୍ଯାତନାକୁ ସେ କିପରି ଭୁଲିଯାଇପାରିଲେ? ଅବଶ୍ୟ ଏହା ସତ ଯେ, ମାୟାବତୀ-ଅଖିଳେଶଙ୍କ ମେଣ୍ଟ ଘୋଷଣା ଫଳରେ ଦୁଇ ଦଳ ମଧ୍ୟରେ ଥିବା ଶତ୍ରୁତା ଏବେ ଶେଷ ହୋଇଯାଇଛି । ମାତ୍ର ଏହାକୁ ଉଭୟ ଦଳ କେତେ ଦିନ ପର୍ଯ୍ୟନ୍ତ ଉଭୟ ଦଳବଜାୟ ରଖିପାରିବେ ତାହା କେବଳ ସମୟ କହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।