୨୪ରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍
-
ସହରାଂଚଳରେ ସବୁ ଶନିବାର ଓ ରବିବାର ସଟଡାଉନ୍
-
ଜାରି ରହିବ ଜରୁରୀ ସେବା
-
ବାହାଘରରେ ସର୍ବମୋଟ ୫୦ ଜଣ , ଦେବାକୁ ପଡିବ ତାଲିକା
-
ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ଫେରିଛି ସପ୍ତାହାନ୍ତ ସଟଡାଉନ୍ । ଆସନ୍ତା ଶନିବାର ଅର୍ଥାତ୍ ୨୪ ତାରିଖ ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଲୋକମାନେ ନିୟମ ଅନୁପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ଅନୁରୋଧ କରିଛନ୍ତି । ଏହାପୂର୍ବରୁ କେବଳ ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ହେଲେ ଏବେ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଏସଆରସି । ସଟ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସେବା ଅନୁମତି ମିଳିବ । ଅନ୍ୟପଟେ ଏହି ସପ୍ତାହନ୍ତ ସଟଡାଉନ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ପାସ୍ ବ୍ୟବସ୍ଥା ରହିବ ନାହିଁ । ଅନୁମତି ଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ ।ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ସେପ୍େଟମ୍ବର ମାସରେ ସକ୍ରିୟ ସଂକ୍ରମିତ ୪୫୦୦ ଥିବାବେଳେ ଏବେ ଦ୍ୱିତୀୟ ଲହରୀରେ ଆଜି ୪୪୪୫ଜଣ ସଂକ୍ରମିତ ଅଛନ୍ତି । ତେଣୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ବଳବତର ଥିବାବେଳେ ଏଣିକି ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଂଚଳରେ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଘୋଷଣା କରାଯାଇଛି । ପୂର୍ବରୁ ସୀମାବର୍ତୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ସାପ୍ତାହିକ ଶଟଡାଉନ୍ ରହିଛି । ଏବେ ପଶ୍ଚିମ ଓଡ଼ିଶାର ଏହି ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତର ରହିଥିଲାବେଳେ ବାକି ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ତେବେ ଏସବୁ ଏହା କେବଳ ସହରାଂଚଳ(ପୌରାଂଚଳ ଓ ଏନଏସି) ପାଇଁ ଲାଗୁ ହେବ । ସଟ୍ ଡାଉନ୍ ସମୟରେ ସ୍ୱାସ୍ଥ୍ୟ ସେବା ସହ ସମ୍ପୃକ୍ତ ବ୍ୟକ୍ତି, ମେଡିସିନ୍ ଦୋକାନ,ଆମ୍ବୁଲାନ୍ସ, ପୋଲିସ୍ , ଅଗ୍ନିଶମ ସେବା, ଜରୁରୀକାଳୀନ ସେବା ସହ ଜଡିତ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ , ଏଲପିଜି ବଂଟନ , ହୋମ ଡେଲିଭରୀ ,ପ୍ରିଂଟ ଓ ଇଲେକ୍ଟ୍ରୋନିକ୍ ମିଡିଆ, ଜଳ ଯୋଗାଣ, ବିଦ୍ୟୁତ୍ ବଂଟନ, ମାଲ ପରିବହନ, ଶିଳ୍ପସଂସ୍ଥା, ଚାଷ କାର୍ଯ୍ୟ ଆଦି କଟକଣାରୁ ବାଦ୍ ଦିଆଯାଇଛି ।ସେହିପରି ରେଳ ଓ ବିମାନ ଚଳାଚଳ, ସାଧାରଣ ପରିବହନ ବ୍ୟବସ୍ଥା, ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ବା ଟ୍ୟାକ୍ସି, ଖାଦ୍ୟର ହୋମ୍ ଡେଲିଭରୀ, ଢାବାରୁ ଖାଦ୍ୟ ନେବା ମଧ୍ୟ କଟକଣା ସମୟରେ ଚାଲିପାରିବ । ଖବରକାଗଜ ହକର ମାନଙ୍କୁ ସକାଳ ୫ଟାରୁ ୮ ଟା ପର୍ଯ୍ୟନ୍ତ ଅନୁମତି ମିଳିବ । ଏଥିପାଇଁ କୌଣସି ପାସ୍ ର ବ୍ୟବସ୍ଥା ନାହିଁ । ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର କିମ୍ବା ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ଯାଇପାରିବେ ।ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲ , କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବାଦ୍ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିବାକୁ ନିଷ୍ପତି ନିଆଯାଇଛି । ଅଙ୍ଗନବାଡି ପିଲାଙ୍କୁ ସେମାନଙ୍କ ଘରେ ରାସନ୍ ଯୋଗାଇ ଦିଆଯିବ ବୋଲି ଏସଆରସି କହିଛନ୍ତି ।ଏହା ବ୍ୟତୀତ ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ସରକାର ଜାରି କରିଥିବାବେଳେ ବାହାଘରରେ ଯୋଗ ଦେବାକୁ ଥିବା ସର୍ବାଧିକ ୫୦ଜଣଙ୍କ ତାଲିକା ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ । ବିବାହ ଶୋଭାଯାତ୍ରା କଲେ ଗାଡ଼ି, ମାଇକ, ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଟେଲ, ରେଷ୍ଟୁରାଂଟରେ ବାହାର ଲୋକ ବସି ଖାଇବା ଉପରେ କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ ବୋଲି ଏସଆରସି କହିଛନ୍ତି । ଏହାସହିତ ଗାଁ ଗହଳିରେ ଭୋଜିଭାତ ଆୟୋଜନ ଉପରେ କଟକଣା ଜାରି କରାଗଲା ବୋଲି କହିଛନ୍ତି । ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।ରାଜ୍ୟରେ ବଢିଲା କୋଭିଡ୍ କଟକଣା ତେଣୁ ଯାତ୍ରା, ଅପେରାକୁ ବନ୍ଦ କଲେ ରାଜ୍ୟ ସରକାର । ୫୦ ପ୍ରତିଶତ ଦର୍ଶକରେ ଚାଲିବ ସିନେମା ହଲ । କିନ୍ତୁ ସବୁଠି ପାଳନ ହେବ କୋଭିଡ୍ କଟକଣା । ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦେଇଛନ୍ତି ସରକାର ।


