୨୪ ଘଣ୍ଟାରେ ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା ଦେଢ଼ ହଜାର
ଓ୍ବାଶିଂଟନ: ସମଗ୍ର ବିଶ୍ବରେ ଦିନକୁ ଦିନ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଆମେରିକାରେ କୋରୋନା ଆକ୍ରାନ୍ତରେ ୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଆକ୍ରାନ୍ତରେ ଆମେରିକାରେ ପାଖାପାଖି ଦେଢ଼ ହଜାର ଲୋକଙ୍କ ମୃତ୍ୟୁ ଘଟିଛି।
ମହାମାରୀ କୋରୋନା ପୃଥିବୀର ୨୦୫ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ ମୋଟ ୧୦ ଲକ୍ଷ ୯୮ ହଜାର ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୨୮ ହଜାର ୯୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଇଟାଲୀ ଓ ସ୍ପେନରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଇଟାଲୀରେ ୧୪ ହଜାର ୬୮୧ ଜଣ ପ୍ରାଣ ହରାଇଥିବା ବେଳେ ସ୍ପେନରେ ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।


