୨୪ ଘଣ୍ଟା ପରିବର୍ତ୍ତେ ୨ ଘଣ୍ଟା ପାଇଁ ହେଉଛି ପାନୀୟ ଜଳ‌‌‌ ଯୋଗାଣ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁତ ଯୋଜନା ଗୁଡିକ ପ୍ରଣୟନ କରିଛନ୍ତି।‌ ବାସ୍ତବ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ମେରିରାୟ ଶାସନ ନୀତି ଫଳରେ ଜନସାଧାରଣ ସେମାନଙ୍କ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ‘ ଜଳ ହିଁ ଜୀବନ ‘ । ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ‌‌‌ ଯୋଗାଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନ ଚାଲିଛି ଗ୍ରୀଷ୍ମଋତୁ।‌ ଏଭଳି ସମୟରେ ଲୋକଙ୍କୁ ପାନୀୟ ଜଳ‌‌‌ ଯୋଗାଇଦେବା ମୁଖ୍ୟ ଲକ୍ଷ୍ୟ ରହିଛି। ହେଲେ ବାସ୍ତବ କ୍ଷେତ୍ରରେ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ସତେଯେମିତି ପ୍ରହସନ ପାଲଟିଛି। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଦେଖିବାକୁ ମିଳିଛି।
ସହରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ‌‌‌ ଯୋଗାଣ ଲକ୍ଷ୍ୟରେ ହିଞ୍ଜିଳି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୈାରାଞ୍ଚଳବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ‌‌‌ ଯୋଗାଇଦେବା ଲକ୍ଷ୍ୟରେ ଗତ ୨୦୨୨ ମସିହା ଡିସେମ୍ବର ମାସ ୨୧ ତାରିଖରେ ୬୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବୃହତ ପାନୀୟ ଜଳ‌‌‌ ପ୍ରକଳ୍ପ ” ସୁଜଳ ” ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟ ଶେଷ ହେବା ପରେ ଗତ ୨୦୨୩ ମସିହା ଅକ୍ଟୋବର ୨୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଞ୍ଜିଳିକାଟୁ ପୈାରାଞ୍ଚଳର ୬୫୦୦ ଜନସଂଖ୍ୟା ବିଶିଷ୍ଟ ୩ଟି ଓ୍ବାର୍ଡରେ ୨୪ ଘଣ୍ଟିଆ ପାନୀୟ ଜଳ‌‌‌ ଯୋଗାଣ ପ୍ରକଳ୍ପ ଡ୍ରିଙ୍କ ଫର୍ମ ଟ୍ୟାପ୍ କୁ ଲୋକାର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ ଓ୍ବାଟକୋ ଉପଖଣ୍ଡ କାର୍ଯ୍ୟାଳୟ ମାଧ୍ୟମରେ କାର୍ଯ୍ୟ ସମ୍ପାଦନା କରି ସ୍ଥାନୀୟ ପୈାରାଞ୍ଚଳର ସମସ୍ତ ଓ୍ବାର୍ଡକୁ ୨୪ ଘଣ୍ଟିଆ ପାନୀୟ ଜଳ‌‌‌ ଯୋଗାଣ କରାଯାଇଥିଲା।‌ ମାତ୍ର ଗୋଟିଏ ବର୍ଷ ପରେ ସଂପୃକ୍ତ ଯୋଜନା ପ୍ରହସନ ପାଲଟିବା ସହ ସହରବାସୀଙ୍କ ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ‌‌‌ ଯୋଗାଣ ସ୍ବପ୍ନ ପାଲଟିଛି। ବର୍ତ୍ତମାନ ଏହା କେବଳ କାଗଜ କଲମରେ ସିମୀତ ରହିଯାଇଛି। ସହରବାସୀଙ୍କୁ ୨୪ ଘଣ୍ଟା ପାନୀୟ ଜଳ‌‌‌ ଯୋଗାଣ ପରିବର୍ତ୍ତେ ଦିନକୁ ମାତ୍ର ୨ ଘଣ୍ଟା ପାଇଁ ପାନୀୟ ଜଳ‌‌‌ ଯୋଗାଣ କରାଯାଉଛି। ସକାଳ ଓ ସନ୍ଧ୍ୟା ସମୟରେ କେବଳ ୧ ଘଣ୍ଟା ସମୟ ପାଇଁ ପାନୀୟ ଜଳ‌‌‌ ଯୋଗାଣ କରାଯାଉଛି। ତାହା ବି କୈାଣସି ନିର୍ଦ୍ଧିଷ୍ଟ ସମୟରେ ନୁହେଁ। ଯଦ୍ୱାରା ସହରବାସୀ ସଠିକ୍ ସମୟରେ ପାନୀୟ ଜଳ‌‌‌ ପାଇବାରୁ ବଞ୍ଚିତ ହେଉଛନ୍ତି। ସଠିକ୍ ସମୟରେ ପାନୀୟ ଜଳ‌‌‌ ପାଇନପାରିବା ଯୋଗୁଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।‌ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ସହରବାସୀଙ୍କୁ ଆବଶ୍ୟକ ପରିମାଣର ପାନୀୟ ଜଳ‌‌‌ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ସହରବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ସ୍ଥାନୀୟ ଓ୍ବାଟକୋ ଉପଖଣ୍ଡ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ବାଧ୍ୟ ହେବେ ବୋଲି ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଚେତାବନୀ ଦେଇଛନ୍ତି। ଏ ନେଇ ଭାରପ୍ରାପ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ନିକିତା ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ବିଭାଗୀୟ କର୍ମଚାରୀ ମାନଙ୍କ କହିବା ପ୍ରକାରେ ହିଞ୍ଜିଳିକାଟୁ ଘୋଡାହାଡ ନଦୀର ଜଳଉତ୍ସ କମିବା ଯୋଗୁଁ ଆବଶ୍ୟକ ପରିମାଣରେ ସହରବାସୀଙ୍କୁ ପାନୀୟ ଜଳ‌‌‌ ଯୋଗାଣ ସମ୍ଭବ ହୋଇପାରୁନାହିଁ, ଋଷିକୂଲ୍ୟା ନଦୀରୁ ହିଞ୍ଜିଳିକାଟୁ ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ବନ୍ଦ ରହିଛି। ଯଦି ସମ୍ଭବପର ହୁଏ ତେବେ ଋଷିକୂଲ୍ୟା ନଦୀରୁ ଜଳ ଯୋଗାଣ କରାଯିବ।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ