୨୪ ଘଣ୍ଟା ପୁରିଲା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଚୋରି ଶିଶୁର ପତ୍ତା ମିଳିଲା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରୁ ଗତକାଲି ଏକ ଚାରିଦିନର ଶିଶୁକୁ କୌଣସି ଦୁବୃତ୍ତ ମହିଳା ଚୋରିକରି ନେଇଥିବା ଘଟଣା ସମଗ୍ର ଜିଲ୍ଲାରେ ଉଦବେଗ ପ୍ରକାଶ ପାଇବା ସହ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଚୋରି ଘଟଣାକୁ ଆଜି ୨୪ ଘଣ୍ଟା ପୁରିଛି । ତଥାପି ଘଟଣାର କୌଣସି ପତ୍ତା ମିଳିନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଗତକାଲି ମଧ୍ୟାହ୍ନରେ ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଏବଂ ଚାଞ୍ଚଲ୍ୟକର ଘଟଣା ଘଟିଛିି । ଏହି ଡାକ୍ତରଖାନାରେ ଗତ ୪ଦିନ ତଳେ ଜନ୍ମ ହୋଇଥିବା ଏକ ଶିଶୁ ସନ୍ତାନକୁ ଜଣେ ଅଜ୍ଞାତ ମହିଳା ଚୋରି କରି ଚମ୍ପଟ ମାରିଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗତ ବୁଧବାର ଦିନ ଗଜପତି ଜିଲ୍ଲାର ନୁଆଗଡ ବ୍ଲକର ମାଣିକପୁର ଗ୍ରାମର କୁରି ପାଇକ ନାମକ ଜଣେ ମହିଳା ପ୍ରସବ ବେଦନାରେ ପାରଳାଖେମୁଣ୍ଡି ଠାତେ ଥିବା ଜିଲ୍ଲା ମହକୁମା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେହିଦିନ ହିଁ ମହିଳାଙ୍କର ଅସ୍ତ୍ରପୋଚାର କରାଯାଇଥିଲା । ଏଥିରେ ମହିଳା ଜଣକ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ । ମାଆ ଓ ଶିଶୁଟି ଜିଲ୍ଲା ମହକୁମା ଡାକ୍ତରଖାନାର ପ୍ରସୁତି ବିଭାଗର ୱାର୍ଡରେ ଚିକିତ୍ସାଧିନ ଥିଲେ । ଗତକାଲି ମଧ୍ୟାହ୍ନ ୧୨ଘଣ୍ଟା ସମୟରେ କେହି ଜଣେ ଅଜ୍ଞାତ ମହିଳା ତାଙ୍କ ନିକଟକୁ ଆସି ଡାକ୍ତର ଶିଶୁକୁ ଧରି ଶିଘ୍ର ଆସିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ବୋଲି କହିଥିଲେ । ଏହି ସମୟରେ ଶିଶୁ ସନ୍ତାନର ମାଆ କୁରି ପାଇକ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖି ସମ୍ପୃକ୍ତ ମହିଳା ଜଣକ ମୁଁ ଶିଶୁଟିକୁ ଧରି ଡାକ୍ତରଙ୍କ ପାଖକୁ ଯାଉଛି ତମେ ଖାଇସାରିବା ପରେ ସେଠାକୁ ଆସ ବୋଲି କହି ଶିଶୁଟିକୁ ଧରି ଚାଲିଯାଇଥିଲେ । ଅଳ୍ପ କିଛି ସମୟ ପରେ ଶିସୁଟିର ମାଆ ଓ ଶାସୁ ଓ ଅନ୍ୟଜଣେ ସମ୍ପର୍କୀୟ ମହିଳା ଦୌଡି ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ତାଙ୍କର ଶିଶୁ ସନ୍ତାନ ନ ଥିବା ଦେଖି ବ୍ୟାକୁଳରେ ଡାକ୍ତରଙ୍କୁ ପଚାରିଥିଲେ । ଡାକ୍ତର କହିଥିଲେ ଯେ,ଶିଶୁଟିକୁ ମୁଁ କାହାକୁ ଆଣିବା ପାଇଁ କହି ନାହିଁ । ପରେ ଶିଶୁଟିର ମାଆ ଓ ଅନ୍ୟମାନେ ଏବଂ ଡାକ୍ତରଖାନାର କର୍ମଚାରୀମାନେ ଡାକ୍ତରଖାନା ମଧ୍ୟରେ ମିଳିତ ଭାବେ ଖୋଜାଖୋଜି କରିଥିଲେ । ତେବେ ଶିଶୁଟିର କୌଣସି ପତ୍ତା ମିଳିନଥିଲା । ପରେ ଡାକ୍ତରଖାନାରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ମଧ୍ୟ ଟିକିନିଖି ଭାବେ ଅନୁଧ୍ୟାନ କରାଯାଇଥିଲା । ଫୁଟେଜରେ ଜଣେ ଅଜ୍ଞାତ ମହିଳା ଶିଶୁ ଟିକୁ ନେଉଥିବା କିଛି ମାତ୍ରାରେ ଦେଖାଯାଇଥିଲା । ଗତକାଲି ଏହି ଘଟଣା ନେଇ ଚୋରି ଯାିଥିବା ଶିଶୁର ପିତା ମଦନ ବାଣୁଆ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ଗତକାଲି ଠାରୁ ପାରଳାଖେମୁଣ୍ଡି ପୋଲିସ ଡାକ୍ତରଖାନା ପରିଶର ଏବଂ ସିସଟିଭିରୁ ସମସ୍ତ ତଥ୍ୟ ନେଇ ତଦନ୍ତ ଜାରି ରଖିଥିବା ଜଣାଇଛନ୍ତି । ଆଜି ସାଧାରଣ ଜନତାଙ୍କ କର୍ଫ୍ୟୁ ପାଳନ ନେଇ ପୋଲିସ ସଜାଗ ରହିଥିଲେ ସିଦ୍ଧା ଏହି ଶିଶୁ ଚୋରି ଘଟଣା ୨୪ ଘଣ୍ଟା ପୁରିଥିଲେ ମଧ୍ୟ ତଦନ୍ତକୁ ବେଶ ତ୍ୱରାନିତ କରାଯାଇଥିବା ପୋଲିସ ଜଣାଇ ଅତି ତୁରନ୍ତ ଶିଶୁଟିକୁ ଉଦ୍ଧାର କରାଯିବା ସହ ଏହାର ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ