୨୪ ରୁ ଆଇଟିଆଇ ପଡ଼ିଆରେ ‘ଏକ୍ସପୋ ଓଡ଼ିଶା’

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘ (ବିସିଆଇସି) ଓ ଜିଲା କ୍ଷୁଦ୍ର ଶିଳ୍ପ ସଂଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଆଇଟିଆଇ ପଡ଼ିଆରେ ହେବାକୁ ଥିବା ଜାତୀୟ ସ୍ତରର ଶିଳ୍ପ ଭିତ୍ତିକ ମେଳା ‘ଏକ୍ସପୋ ଓଡ଼ିଶା-୨୦୨୩’ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିରେ ଓଡ଼ିଶା ସମେତ ରାଜ୍ୟ ବାହାରୁ ବହୁ ଶିଳ୍ପ ଓ ବାଣିଜ୍ୟ ସଂସ୍ଥା, ଶିକ୍ଷାନୁଷ୍ଠାନ, କୁଟୀର ଶିଳ୍ପ, ଅଟୋମୋବାଇଲ ସଂସ୍ଥା, ହୋଟେଲ ଶିଳ୍ପ ନିଜ ନିଜର ଉତ୍ପାଦ ପ୍ରଦର୍ଶନ କରିବେ ବୋଳି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଶିଳ୍ପ ସଂଗଠନ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ସ୍ଥାନୀୟ ଉଦ୍ୟୋଗ ଭବନରେ ଶୁକ୍ରବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିସିଆଇସିର ସଭାପତି ଯୁବ ଶିଳ୍ପୋଦ୍ୟୋଗୀ ସଂଜୟ ଦାସ, ଜିଲା କ୍ଷୁଦ୍ରଶିଳ୍ପ ସଂଘ ସଭାପତି ବିବେକ ବାଜପେୟୀ, ବିସିଆଇସିର ଟ୍ରେଡ ସମ୍ପାଦକ ତଥା ଏକ୍ସପୋ ଓଡ଼ିଶାର ମିଡିଆ ସଂଯୋଜକ ଶିବୁ ପୋଦାର ପ୍ରମୁଖ ଯୋଗଦେଇ ୬ ଦିନିଆ ‘ଏକ୍ସପୋ ଓଡ଼ିଶା’ର ରୂପରେଖ ସମ୍ପର୍କରେ ଅବଗତ କରିଥିଲେ । ଏହି ଜାତୀୟ ସ୍ତରୀୟ ଶିଳ୍ପ ମେଳାରେ ୬୦୦ରୁ ଅଧିକ ଷ୍ଟଲ ସ୍ଥାପନର ଆବଶ୍ୟକତା ଥିଲେ ବି ଆଇଟିଆଇ ପଡ଼ିଆର କ୍ଷମତାକୁ ଦୃଷ୍ଟିରେ ରଖି ୩୦୦/୩୫୦ ଷ୍ଟଲ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେମାନେ କହିଛନ୍ତି । ସରକାରଙ୍କ ବିନା ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି ମେଳାରେ ଶିଳ୍ପା, ବାଣିଜ୍ୟ, ଶିକ୍ଷାନୁଷ୍ଟାନ, ହୋଟେଲ, ଅଟୋମୋବାଇଲ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜ ନିଜର ଉତ୍ପାଦ ପ୍ରଦର୍ଶନ କରିବେ । ତେବେ ସାମ୍ପ୍ରତିକ ସ୍ଥିତିରେ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଇ-ବାଇକ ପ୍ରମୋଟ ପାଇଁ ସଂଗଠନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା କର୍ମକର୍ତ୍ତାମାନେ କହିଛନ୍ତି । ଏନେଇ ବିଭିନ୍ନ କମ୍ପାନୀର ଇ-ବାଇକ ଷ୍ଟଲମାନଙ୍କରେ ପ୍ରଦର୍ଶନ କରାଯିବ । ପ୍ରତି ସଂଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳା, ସଙ୍ଗୀତ ଓ ନୃତ୍ୟ କଳାକାରଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଖ୍ୟାତନାମା କଳାକାରମାନେ ଦର୍ଶକଙ୍କ ମନୋରଂଜନ କରିବେ । ଦୀର୍ଘବର୍ଷ ଧରି ବାଲେଶ୍ୱର ଜିଲା ପାଇଁ ପରମ୍ପରା ସୃଷ୍ଟି କରିଥିବା ଏହି ଶିଳ୍ପ ମେଳା ‘ଏକ୍ସପୋ ଓଡ଼ିଶା’ରେ ଅଧିକରୁ ଅଧିକ ସଂଖ୍ୟାକ ଯୋଗଦାନ ସହ ଏହାକୁ ସଫଳ କରିବାକୁ ଦୁଇ ଶିଳ୍ପ ସଂଘର କର୍ମକର୍ତ୍ତାମାନେ ସମସ୍ତଙ୍କୁ ନିବେଦନ କରିଛନ୍ତି । ବିସିଆଇସିର ସାଧାରଣ ସମ୍ପାଦକ ସୁନୀଲ ମୋଦିଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିସିଆଇସିର ସମ୍ପାଦକ (ଫିନାନ୍ସ)ବିଷ୍ଣୁ ମାରୁଙ୍କ ସମେତ ଦେବରାଜ ପାଢ଼ୀ, ସୋନୁ ଖଣ୍ଡେଲୱାଲ, ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ