୨୫ତମ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ରାଷ୍ଟ୍ର ଉତ୍କର୍ଷ ପରିଷଦ, ଓଡ଼ିଶା ପକ୍ଷରୁ ପୂର୍ବତନ କୁଳପତି, ବିଶିଷ୍ଟ ଅର୍ଥନୀତିଜ୍ଞ, ପ୍ରଧ୍ୟାପକ ପଦ୍ମଶ୍ରୀ ଡଃ ସଦାଶିବ ମିଶ୍ରଙ୍କ ୨୫ତମ ଶ୍ରାଦ୍ଧ ଉତ୍ସବ ବୁଦ୍ଧ ମନ୍ଦିର ସଭାଗୃହରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ କହିଲେ ଯେ, ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ସେ ପ୍ରକୃତରେ ଥିଲେ ରତ୍ନ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଲେ ଯେ, ସେ ଥିଲେ ଆଦର୍ଶ ଶିକ୍ଷକ । ଉଚ୍ଚାରଣ ଓ ଆଚରଣରେ ପ୍ରଭେଦ ନଥିଲା । ସେଥିପାଇଁ ସେ ଥିଲେ ଛାତ୍ରମାନଙ୍କର ଆଦର୍ଶ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଡଃ ବେଦବତୀ ମହାନ୍ତି ତାଙ୍କ ଛାତ୍ର ଜୀବନର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ । ଯୁବ ଆଇନ୍ଜୀବୀ ଅଶୋକ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ପରେ ଅନ୍ୟତମ ଅତିଥି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପୂଜ୍ୟପୂଜାରେ ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ କୁମାର ରଥ ପୌରହିତ୍ୟ କରିଥିଲେ । ଡଃ ସଦାଶିବ ମହାପାତ୍ର ସ୍ୱାଗତ ଭାଷଣ ଓ ସମ୍ପାଦିକା ଶ୍ରୀମତୀ ସଂଘମିତ୍ରା ରାଜଗୁରୁ ସମ୍ପାଦକୀୟ ବିବରଣୀ ଏବଂ ଅଞ୍ଜନ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।