୨୫ବର୍ଷ ଧରି ନିର୍ମାଣ ହୋଇଛି କେନାଲ, ହେଲେ ପାଣି ଯାଉନି, ପ୍ରତିବାଦରେ ଜଳସମ୍ପଦ କାର୍ଯ୍ୟାଳୟ ଘେରିଲେ ଚାଷୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମଣା ପଞ୍ଚାୟତର ଆଗିରିଆ ଗ୍ରାମକୁ ଜଳସେଚନର ସୁବିଧା ପାଇଁ ୨୫ବର୍ଷ ହେଲା କେନାଲ ନିର୍ମାଣ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ଆଗିରିଆ ଗ୍ରାମର ଚାଷୀମାନେ ପାଣିଟୋପେ ପାଇଲେନି । ଯାହାର ପ୍ରତିବାଦରେ ସେମାନେ ଆଜି ନିଜ ଗାଁଠାରୁ ୩୦କିଲୋମିଟର ଦୁରରେ ଥିବା ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଘେରାଉ କରିଛନ୍ତି । ସେମାନଙ୍କ ଅଭିେଯୋଗ ଯେ ଗୋବିନ୍ଦପୁର ମାଇନର କେନାଲ ଯୋଗେ ଆଗିରିଆ ଗ୍ରାମକୁ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯାଇ କେନାଲ ନିର୍ମାଣ କରାଯାଇଥିଲା । ୨୫ବର୍ଷ ହେବ କେନାଲ ନିର୍ମାଣ ହୋଇଥିଲେବି ଆଜି ପର୍ଯ୍ୟନ୍ତ କେନାଲରେ ପାଣିଟୋପେ ଚାଷୀମାନେ ଦେଖିପାରିଲେନି । ୯କିଲୋମିଟର ଦୁର ଟୁକୁଣା ନିକଟରୁ କେନାଲଟି ବାହାରିଥିବାବେଳେ ଅଧାପନ୍ତରିଆ କେନାଲ ନିର୍ମାଣ ଯୋଗୁଁ ୧୦/୧୨ଟି ଗ୍ରାମ ଅତିକ୍ରମ କରି ପାଣି ଆସିପାରୁ ନାହିଁ । ଗତ ତିନିବର୍ଷ ହେଲା ଚାଷୀମାନେ ଚାଷ କାର୍ଯ୍ୟ କରି ନପାରି ବିଲ ପଡିଆ ପକାଇଥିବାବେଳେ ଚଳିତବର୍ଷ ଟିକେ ଭଲ ବର୍ଷା ହେବାରୁ ଚାଷ କାର୍ଯ୍ୟକୁ ଆଗେଇ ନେଇଥିଲେ । ଏବେ ଧାନ ଥୋଡ ବାହାରିବା ସମୟରେ ବିଲ ଗୁଡିକ ଫାଟି ଆଁ କଲାଣି । ଏନେଇ ଜଳସମ୍ପଦ ବିଭାଗକୁ ୮ଦିନ ହେଲା ବାରମ୍ବାର ନିବେଦନ କରି ଆସୁଥିଲେବି ଜଳସମ୍ପଦ ବିଭାଗ ଜଳସେଚନର କୌଣସି ବ୍ୟବସ୍ଥା କଲାନି । ଫଳରେ ଏବେ ଗ୍ରାମର ୧୫୦ଟି ଚାଷୀ ପରିବାର ମୁଣ୍ଡରେ ହାତଦେଇ ବସିଛନ୍ତି । ଏହାକୁ ନେଇ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆଜି ଗ୍ରାମର ରତ୍ନାକର ବେହେରା, ଦାଶରଥି ଜେନା, ରଙ୍ଗାଧର ଜେନା, ନିରଞ୍ଜନ ବିଶ୍ୱାଳ, ଭଜହରି ଜେନା, ରବିନ୍ଦ୍ର ଜେନା, ଅମର ଜେନା, କୁଳମଣି ଜେନା, ସୁଦାମ ଜେନା, ମଧୁ ଜେନା, ଲକ୍ଷ୍ମୀଧର ଦାସ, ଉମାକାନ୍ତ ସେଠୀ, ରତ୍ନାକର ଜେନା, ଅମୁଲ୍ୟ ଦାସ, ପ୍ରତାପ ସେଠୀ, ଭଗବାନ ଜେନା, ଜଗନ୍ନାଥ ସେଠୀ, ପର୍ଶୁରାମ ମହାପାତ୍ର, ସୁଦର୍ଶନ ସେଠୀ, ଆଲୋକ ଜେନା, ଆନନ୍ଦ ଜେନା, ସରୋଜ ଜେନା, ପ୍ରଫୁଲ ଜେନାଙ୍କ ସମେତ ଶତାଧିକ ଚାଷୀ ଟ୍ରାକ୍ଟର ଯୋଗେ ଶାଳପଡା ବୈତରଣୀ ଡିଭିଜନ କାର୍ଯ୍ୟାଳୟକୁ ଯାଇ ଧାରଣାରେ ବସିଥିଲେ । ପରେ ନିର୍ବାହୀଯନ୍ତ୍ରୀ ପ୍ରଣବ ନାୟକ ଚାଷୀ ମାନଙ୍କୁ ବୁଝାସୁଝା କରି ଆସନ୍ତାକାଲି ସୁଧା ଜଳସେଚନର ବ୍ୟବସ୍ଥା କରାଇବା ପାଇଁ ପ୍ରତିଶୃତି ଦେବାପରେ ଯାଇ ଚାଷୀମାନେ ଆନେ୍ଦାଳନରୁ ହଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ