୨୫୦୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ଇଡି ନଜରରେ ପାୱାର

ନୂଆଦିଲ୍ଲୀ : ଟଙ୍କା ହେରଫେର (ମନି ଲଣ୍ଡରିଂ) ମାମଲାରେ କଂଗ୍ରେସର ଦୁଇ ବରିଷ୍ଠ ନେତା ପି. ଚିଦମ୍ବରମ୍ ଏବଂ ଡି. ଶିବ କୁମାର ଗିରଫ ହୋଇ ଜେଲ ହାଜତରେ ଥିବା ବେଳେ ଏବେ ଏନ୍ସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏଭଳି ଏକ ମାମଲାରେ ଛନ୍ଦି ହୋଇଛନ୍ତି । ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି । ୨୫ ହଜାର କୋଟି ଟଙ୍କାର ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ପାୱାର ଏବଂ ଅନ୍ୟ ୭୫ ଜଣଙ୍କ ନାମରେ ବିରୋଧରେ ଇଡି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏଥିରେ ଅଧିକାଂଶ ହେଉଛନ୍ତି ଏନ୍ସିପି ନେତା ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପଦିନ ବାକି ଥିବା ବେଳେ ପାୱାରଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଶରଦ ପାୱାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଯେଉଁ ମାମଲାରେ ତାଙ୍କ ନାମ ଏଫ୍ଆଇଆରରେ ରଖାଯାଇଛି ସେଥିରେ ସେ ସଦସ୍ୟ ମଧ୍ୟ ନାହାନ୍ତି । ନ୍ୟାୟପାଳିକା ଉପରେ ମୋର ଭରସା ରହିଛି । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଅଭିଯାନରେ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଥିବାରୁ ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ମୁଁ ଜାଣିଛି ଯେ ନିର୍ବାଚନ ସମୟରେ ଏଭଳି ଏଫ୍ଆଇଆର୍ ପରିଣାମକୁ ପ୍ରଭାବିତ କରିବ ବୋଲି ପାୱାର କହିଛନ୍ତି । ସୂନଚାଯୋଗ୍ୟ ଯେ ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଚାଲିଥିବା ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କର ତକ୍ରାଳୀନ ଅଧ୍ୟକ୍ଷ, ଏମ୍ଡି ଏବଂ ନିର୍ଦ୍ଦେଶକମାନଙ୍କ ବିରୋଧରେ ମଧ୍ୟ ଇଡି ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ