୨୫ ବର୍ଷର ଯାତ୍ରା କଷ୍ଟ ଦେଇଛି କିନ୍ତୁ ଛାତ୍ରଛାତ୍ରୀ, ସହକର୍ମୀ ଓ ଅଭିଭାବକଙ୍କ ସହିତ ରହିବା ଆନନ୍ଦ ଦେଇଛି : ଡ. ପ୍ରକାଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶିକ୍ଷାଦାନ କ୍ଷେତ୍ର ତଥା ତତ୍ସଲଗ୍ନ ବିଭିନ୍ନ ବିଭାଗକୁ ଅନବଦ୍ୟ କୃତୀ ଓ ଅବଦାନ ସହ ନିରବଚ୍ଛିନ୍ନ ଭାବେ ଉତ୍ସର୍ଗୀକୃତ ସେବା ପୂର୍ବକ ୨୫ ବର୍ଷ ପୂରଣକରିଥିବା ଶିକ୍ଷାବିତ୍ ତଥା ସମାଜସେବୀଡ. ପ୍ରକାଶଚନ୍ଦ୍ର ପାଣିଗ୍ରାହୀଙ୍କୁ ସଂପ୍ରତି ସମ୍ବର୍ଦ୍ଧିତ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଡି.ଏ.ଭି ପବ୍ଲିକସ୍କୁଲ, ଚନ୍ଦ୍ରଶେଖରପୁରର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବର୍ଷିଆନ ସ୍ଥପତି ତଥା ପଦ୍ମବିଭୁଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଡ. ପାଣିଗ୍ରାହୀଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଡ. ପାଣିଗ୍ରାହୀ ୧୯୯୫ ମସିହାରେ ଡି.ଏ.ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁରରୁ ତାଙ୍କ ଶିକ୍ଷକତା ଜୀବନ ଆରମ୍ଭ କରି ଶିକ୍ଷକତା ସହ ୨୦୦୧ ମସିହାରୁ ୨୦୧୦ ପର୍ଯ୍ୟନ୍ତ ଲୋକସମ୍ପର୍କ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗରେ ସଫଲତାର ସହ କାର୍ଯ୍ୟ ସମ୍ପାଦନ କରି ସଂପ୍ରତି ଡି.ଏ.ଭି କଳିଙ୍ଗ ନଗରଠାରେ ବରିଷ୍ଠ ଶିକ୍ଷକଭାବେ କାର୍ଯ୍ୟରତ ଅଛନ୍ତି । ଏଥି ସହିତ ରାଜ୍ୟର ଅଗ୍ରଣୀ ସାମାଜିକ ଏବଂ ସାସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ବିହାର ଯୁବ ଓ ସାସ୍କୃତିକସଂଘର ସଭାପତି ଭାବରେ ଦୀର୍ଘ ୨୭ ବର୍ଷ ଧରି ପ୍ରଶଂସନୀୟ ସାଂସ୍କୃତିକ ଜାଗରଣ ଓ ସେବାକାର୍ଯ୍ୟ ପରିଚାଳନା କରି ଅଞ୍ଚଳର ଏକ ସୁନାମଧନ୍ୟ ସମାଜସେବୀ ଭାବରେ ପରିଚିତଡ. ପାଣିଗ୍ରାହୀ ଇତିପୂର୍ବରୁ ଶତାଧିକ ଅନୁଷ୍ଠ।ନ ଦ୍ୱାରା ପୁରସ୍କୃତ ହୋଇସାରିଛନ୍ତି । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡ. ମାଧବାନନ୍ଦ କର, ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ ତଥା ଡି.ଏ.ଭିଚନ୍ଦ୍ରଶେଖରପୁରର ଅଧ୍ୟକ୍ଷ ଡ. କେ. ସିଶତପଥୀ, ସହକାରୀ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା, ଡି,ଏ,ଭି ଅନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଓ ଅଧ୍ୟକ୍ଷ ଅଧ୍ୟକ୍ଷାଗଣ ସମ୍ମାନନୀୟ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଜଣେ ସଫଳ ଶିକ୍ଷାବିତ୍ ସହ ଏକ ଉଚ୍ଚକୋଟୀର ଅଭିନେତା, ସଂଗଠକ ଓ ସମାଜସେବୀ ଭାବରେ ବିଶେଷ ଜନାଦୃତିଲାଭ କରିସାରିଥିବା ଡ. ପାଣିଗ୍ରାହୀ ପୁରସ୍କାରର ଉତ୍ତରରେ ୨୫ ବର୍ଷର ଯାତ୍ରା କଷ୍ଟ ଦେଇଛି କିନ୍ତୁ ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ଉତ୍ସର୍ଗୀକୃତ ସହକର୍ମୀ ଓ କର୍ମଚାରୀ, ସମ୍ମାନସ୍ପଦ ଅଭିଭାବକଙ୍କ ସହିତରହିବା ଆନନ୍ଦ ଦେଇଛି ବୋଲି ମତ ବ୍ୟକ୍ତକରିବା ସହ ତାଙ୍କ ସଫଳତାର ଶ୍ରେୟ ନିମନ୍ତେ ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ, ଡି.ଏ.ଭିକଳିଙ୍ଗ ନଗର ଅଧ୍ୟକ୍ଷ ବିପିନ କୁମାରସାହୁ, ପରିବାର, ଆତ୍ମୀୟସ୍ୱଜନ ଓ ବନ୍ଧୁବର୍ଗଙ୍କୁ ଦେଇଛନ୍ତି ।


