୨୬ନଂ ୱାର୍ଡ଼ର ନବନିର୍ମିତ ‘ପେଭର ବ୍ଲକ ରାସ୍ତା’ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୨୬ନଂ ୱାର୍ଡ଼ରେ ନବନିର୍ମିତ ପେଭର ବ୍ଲକ ରାସ୍ତା ଗୁରୁବାର ଉଦ୍ଘାଟିତ ହୋଇଯାଇଛ । ଏହି ଅବସରରେ ସ୍ଥାନୀୟ ମସଜିଦ ଗଳିରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ରାସ୍ତାକୁ ଉଦ୍ଘାଟନ କରିଥିଲେ । ୨୦୨୧-୨୨ ଆଥିକ ବର୍ଷରେ ଅର୍ବାନ ଇନଫ୍ରା ଅନୁଦାନ ପାଣ୍ଠିରୁ ୭ଲକ୍ଷ ୨୭ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମିତ ହୋଇଥିବା ସେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଅନୁୟାୟୀ ବାଲେଶ୍ୱର ପୌରାଞ୍ଚଳର ବିକାଶ ସମ୍ଭବ ହୋଇ ପାରିଛି ବୋଲି ସେ କହିଥିଲେ । ତେବେ ଆଗାମୀ ଦିନରେ ପୌରପାଳିକା ଅନ୍ତର୍ଗତ ସମସ୍ତ ୱାର୍ଡ଼ରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ବିଧାୟକ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ଯୋଗଦେଇ ପୌରପାଳିକାର ପ୍ରତ୍ୟେକ ୱାର୍ଡ଼ରେ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ୨୬ନଂ ୱାର୍ଡରେ ଅତ୍ୟାଧୁନିକ ଢାଂଚାରେ ପେଭର ବ୍ଲକ ରାସ୍ତା ନିର୍ମାଣ ହୋଇଥିବା ସେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୬ନଂ କାଉନସିଲର ଶେଖ ଆୟୁବ ଅଧ୍ୟକ୍ଷତା କରିବା ସହିତ ୱାର୍ଡରେ ଜାରି ରହିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତଙ୍କ ସମେତ ବହୁ କାଉନସିଲର ଏବଂ ସ୍ଥାନୀୟ ଅଂଚଳବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


