୨୬୭ କେନ୍ଦ୍ରରେ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲାସ୍ତରୀୟ ୩ଦିନିଆ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆୟୋଜିତ ଏକ ସଭାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକ ସଭାପତିତ୍ୱ କରିଛନ୍ତି । ଏହି ପଲସ ପୋଲିଓ କାର୍ଯ୍ୟକ୍ରମରେ ୫ବର୍ଷରୁ କମ୍ ବୟସର ପିଲାମାନଙ୍କୁ ୨ଡ୍ରପ ପୋଲିଓ ବୁନ୍ଦା ଦିଆଯିବ । ଏଥିପାଇଁ ଜିଲାରେ ମୋଟ ୭୨ହଜାର ୮୧୭ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସମସ୍ତ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବଡ ବଡ ଛକ ସ୍ଥାନ, ରାସ୍ତା ପାଶ୍ୱର୍ ବିଶ୍ରାମାଗାର, ରେଳବାଇ ଷ୍ଟେସନ ବସ୍ଷ୍ଟାଣ୍ଡ ଇତ୍ୟାଦି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଜିଲାବ୍ୟାପୀ ମୋଟ ୨୬୭ଟି ପୋଲିଓ ବୁନ୍ଦା କେନ୍ଦ୍ର ରହିଥିବାବେଳେ ୫୩୪ଟି ଦଳ ଗଠନ କରାଯାଇଛି । ସେହିପରି ୫୩ଜଣ ସୁପରଭାଇଜର, ୨୦ଟି ଟ୍ରାନ୍ଜିଟ ଦଳ ଏବଂ ୯ଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି । ମୋଟ ୯୬ହଜାର ୮୫୦ଟି ପୋଲିଓ ଡୋଜ୍ ରହିଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଜ୍ଞାନରଂଜନ ଭଂଜଦେଓ, ଏଡିଏମ୍ଓ ଡାକ୍ତର ମହମ୍ମଦ ମୁନୀର, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପି.କେ.ପାତ୍ର, ଡାକ୍ତର ଶାନ୍ତନୁ କୁମାର ପାଢୀ, ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।


