୨୭ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଟାଉନ କ୍ଲବ ଭୁବନେଶ୍ୱରକୁ ହରାଇ ୟୁନିକ ଏକାଡେମୀ ଭଦ୍ରକ ସେମିରେ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସ୍ଥିତ ଡାକ୍ତରଖାନା ପଡିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ୨୭ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ପରେଶ ଦାସ, ସରପଞ୍ଚ ସଦାଶିବ ଦାସ, ଜଗନ୍ନାଥ ଜେନା, ଅବସରପ୍ରାପ୍ତ ଅଧ୍ୟାପକ ତରଣୀସେନ ସାହୁ, ସୁଶାନ୍ତ କୁମାର ସାହୁ, ମହାବୀର କ୍ଲବର ସଭାପତି ଗୋପିନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଟାଉନ କ୍ଲବ ଭୁବନେଶ୍ୱର ସହିତ ୟୁନିକ କ୍ରିକେଟ ଏକାଡେମୀ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ୱରକୁ ହରାଇ ୟୁନିକ ଏକାଡେମୀ ଭଦ୍ରକ ସେମିଫାଇନାଲରେ ପ୍ରବେଶ କରିଛି । ଭୁବନେଶ୍ୱର କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୫ଓଭରରେ ସମସ୍ତ ଉଇକେଟ ହରାଇ ୭୦ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ପ୍ରତ୍ୟୁଷ ଦାସ ବ୍ୟକ୍ତିଗତ ୧୦ଟିବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୬ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ରାଜେଶ ବଳ ୫ଓଭର ବୋଲିଂ କରି ୧୨ରନ ଦେଇ ୪ଟି ଉଇକେଟ ପାଇଥିଲେ । ଜବାବରେ ୟୁନିକ ଏକାଡେମୀ ଭଦ୍ରକ ୯.୫ଓଭରରେ ଗୋଟିଏ ଉଇକେଟ ହରାଇ ୭୪ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ତାପସ ରାଉତ ୨୨ଟି ବଲରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୨୯ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ରାଜେଶ ବାରିକ ୧.୫ଓଭର ବୋଲିଂ କରି ୧୯ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ । ମ୍ୟାନ ଅଫଦି ମ୍ୟାଚ ଭାବେ ରାଜେଶ ବଳଙ୍କୁ ପୁରସ୍କୃତ କରାଯାଇଥିଲା । କାଳନ୍ଦୀ ପଣ୍ଡା ଓ ଚିନ୍ମୟ ସେନାପତି ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଅଜୟ ରାଉତ ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଶନିବାର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ନିମପୁର କଟକ ସହିତ ଜେସିସି ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।


