୨୭ ଓ ୨୮ନଂ.ପାଣି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ କମିଟି ପାଇଁ ନିର୍ବାଚନ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବୈତରଣୀ ଡିଭିଜନ ଶାଳନିଆଁ ଉପଖଣ୍ଡ ଅଧିନ ବିଦ୍ୟାଧରପୁର ଦକ୍ଷିଣ କେନାଲ ବନ୍ତ ଜଳସେଚନ ଅନ୍ତର୍ଗତ ୨୭ ଓ ୨୮ନଂ.ସୋଠ କମିଟିର ନିର୍ବାଚନ ଶାନ୍ତିଶୃଂଖଳାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯେ, ଗତକାଲି ଉକ୍ତ ସୋଠ କମିଟି ମଧ୍ୟରୁ ୨୮ନଂ.ସୋଠ କମିଟିର ୨୧ଟି ସୋଠ କମିଟି ପାଇଁ ନିର୍ବାଚନ ହେବା କଥା । ମାତ୍ର ଚାଇଁପୁର ମାଇନର କେନାଲର ୨୬ନଂ.ସୋଠ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଫଳରେ ୨୦ଟି ସୋଠ କମିଟି ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୫ଟି ସୋଠ କମିଟିର ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୫ଟି ସୋଠ କମିଟି ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ଗୁଳା ମାଧ୍ୟମରେ ୫ ଜଣ ସଭ୍ୟ କାର୍ଯ୍ୟ ନିର୍ବାହୀ କମିଟିକୁ ମନୋନୀତ ହୋଇଥିଲେ । ଫଳରେ ୨୮ନଂ.ପାଣି ପଞ୍ଚାୟତରେ କର୍ମକର୍ତ୍ତା ନିର୍ବାଚନ ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଅନୁଷ୍ଠିତ ହେବ । ଠିକ୍ ସେହିପରି ୨୭ନଂ.ପାଣି ପଞ୍ଚାୟତ ପାଇଁ ଆଜି ୧୧ଟି ସୋଠ କମିଟି ପାଇଁ ନିର୍ବାଚନ ହୋଇଥିଲା । ପୂର୍ବରୁ ଉକ୍ତ ସୋଠ କମିଟିର ୧୪ଟି କମିଟି ମଧ୍ୟରୁ ୩ ଜଣ ବିନା ପ୍ରତିଦ୍ୱନ୍ଦିତା ନିର୍ବାଚିତ ହୋଇଥିଲେ । ଆଜି ୧୧ଟି ନିର୍ବାହୀ କମିଟି ପାଇଁ ସୋଠ କମିଟିର ସଭ୍ୟ ମାନେ ଗୁଳା ମାଧ୍ୟମରେ ମନୋନୀତ ହୋଇଥିଲେ । ୨୭ନଂ.ପାଣି ପଞ୍ଚାୟତର ୧୪ ଜଣ ନିର୍ବାହୀ କମିଟିକୁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଉଭୟ ୨୭ ଓ ୨୮ ନଂ. ପାଣି ପଞ୍ଚାୟତର କର୍ମକର୍ତ୍ତା ନିର୍ବାଚନ କରାଯିବ । ନିର୍ବାଚନ ପରିଚାଳନାରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ସୂର୍ଯ୍ୟମଣି ସାମଲ, ଲକ୍ଷ୍ମୀକାନ୍ତ ସିଂ, କର୍ମଚାରୀ ପ୍ରଶାନ୍ତ ରାଉତ ଦାୟୀତ୍ୱ ତୁଲାଇଥିଲେ ।