୨୮ ସେପ୍ଟେମ୍ବର ସର୍ଜିକାଲ ଷ୍ଟ୍ରାଇକ୍ କଥା ମନେ ପକାଇଲେ
ନୂଆଦିଲ୍ଲୀ: ସଫଳ ଆମେରିକା ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟା ୧୫ରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପାଲମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିମାନ ବନ୍ଦର ବାହାରେ ଅନୁଷ୍ଠିତ ସ୍ୱାଗତ ମଂଚରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଦିଲ୍ଲୀର ସମସ୍ତ ୭ ସାଂସଦ ଏବଂ ବିଜେପିର ହଜାର ହଜାର କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ କରିଥିଲେ । ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱବ୍ୟାପୀ ଏବେ ଭାରତର ମର୍ଯ୍ୟାଦା ବୃଦ୍ଧି ପାଇଛି । ସ୍ୱଦେଶ ବାହୁଡ଼ିବା ପରେ ଏଭଳି ଭବ୍ୟ ସ୍ୱାଗତ ପାଇଁ ଦେଶବାସୀଙ୍କୁ ମଥାନତ କରି ପ୍ରମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ହଷ୍ଟନରେ ଅନୁଷ୍ଠିତ ହାଉଡି ମୋଦୀ କାର୍ଯ୍ୟକ୍ରମ ନେଇ ମୋଦୀ କହିଥିଲେ ଯେ ଭାରତୀୟ ସଂପ୍ରଦାୟ ଯେଭଳି ଏକତା ଓ ଉତ୍ସାହ ଦେଖାଇଛନ୍ତି ତାହା ନୂଆ ଭାରତର ଶକ୍ତିକୁ ପ୍ରଦର୍ଶିତ କରିଛି । ପ୍ରଧାନମନ୍ତ୍ରୀ ସର୍ଜିକାଲ ଷ୍ଟ୍ରାଇକର ରାତ୍ରୀ କଥା ସ୍ମରଣ କରି କହିଥିଲେ, ଆଜି ୨୮ ସେପ୍ଟେମ୍ବର ଏବଂ ୩ ବର୍ଷ ପୂର୍ବେ ୨୮ ସେପ୍ଟେମ୍ବର ୨୦୧୬ରେ ମୁଁ ପୂରା ରାତି ଗୋଟିଏ ମୁହୂର୍ତ୍ତ ବି ଶୋଇନଥିଲି । ପ୍ରତି ମୁହୂର୍ତ୍ତ ଫୋନ ବାଜିବାକୁ ଅପେକ୍ଷା କରୁଥିଲି । ସେହିଦିନ ଭାରତର ବୀର ଯବାନ ପ୍ରରାକ୍ରମର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।


