୨୯ରୁ ଚନ୍ଦ୍ରଭାଗା ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ଚନ୍ଦ୍ରଭାଗା ଉତ୍ସବର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ପରିସରରେ ‘ଚନ୍ଦ୍ରଭାଗା’ର ଉପଦେଷ୍ଟା ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିସେମ୍ବର ୨୯ ତାରିଖରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ୩୩ ତମ ଚନ୍ଦ୍ରଭାଗା ଉତ୍ସବର ରୂପରେଖ ସମ୍ପର୍କରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏଥିରେ ନୃତ୍ୟଶିକ୍ଷା ଅନୁଷ୍ଠାନ ‘ନାଚ୍‌’ ଆନୁକୂଲ୍ୟରେ ତଥା ରୋନାଲିସା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଶିଶୁ କଳାକାରଙ୍କୁ ନେଇ ପ୍ରତିଭା ଚୟନ କାର୍ଯ୍ୟ ଅନୁଷ୍ଠିତ ହେବ । ସେହିପରି ‘ୟଙ୍ଗ୍‌ହାଟ୍‌’ ସହଭାଗିତାରେ ତଥା ମରୁତ ରାଉତଙ୍କ ନେତୃତ୍ୱରେ ସ୍ୱର୍ଗତ ଅଶୋକ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଚିତ୍ର ପ୍ରଦର୍ଶନୀ ଓ କର୍ମଶାଳା, ସତ୍ୟ ସାହୁଙ୍କ ନେତୃତ୍ୱରେ ‘ସଟରଡେ ସିଗନେଚରିଂ’ର ରୌପ୍ୟ ଜୟନ୍ତୀ ସଂସ୍କରଣ, ରୀନା ପାତ୍ରଙ୍କ ନେତୃତ୍ୱରେ ଜାତୀୟସ୍ତରୀୟ ୧୭ତମ ଆନ୍ତଃମହାବିଦ୍ୟାଳୟ ବହୁଭାଷୀ ନାଟ୍ୟ ପ୍ରତିଯୋଗିତା, ଡ. ଶଶିକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ୨୮ବର୍ଷର ବାଲେଶ୍ୱର ବହିମେଳା ଅନୁଷ୍ଠିତ ହେବା ନେଇ ଉତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷର ଚନ୍ଦ୍ରଭାଗା ଉତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଉଚିତ ପଦକ୍ଷେପ ନିଆଯାଇଥିବା ଅନୁଷ୍ଠାନର ପ୍ରତିଷ୍ଠାତା କବି ଶ୍ରୀଦେବ ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଚଳିତ ବର୍ଷର ଉତ୍ସବକୁ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ଉଦ୍‌ଘାଟନ କରିବା ସାଙ୍ଗକୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସାରସ୍ୱତ ସ୍ରଷ୍ଟା ଡ. ରାମଚନ୍ଦ୍ର ବେହେରା, ଡ. ରମେଶ ପ୍ରସାଦ ପାଣିଗ୍ରାହୀ ଏବଂ କବି କଥାକାର ହରପ୍ରସାଦ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀକୁ ଚନ୍ଦ୍ରଭାଗାର ସକ୍ରିୟ ସଦସ୍ୟ ଅରୁଣାଂଶୁ ପାଣିଗ୍ରାହୀ ସଂଚାଳନ କରିଥିଲେ । ମିଡ଼ିଆ ସଂଯୋଜିକା ଜ୍ୟୋତିର୍ମୟୀ ଶତପଥୀ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିତାଂଶୁ ଲେଙ୍କା, ଅବନୀ ଜେନା, ପୁରାତନ ସଦସ୍ୟ ପ୍ରଦୀପ କୁମାର ବେହେରା, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ରତିକାନ୍ତ ପାତ୍ର, ସତ୍ୟବ୍ରତ ସେଠୀ, ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ