୨୯ ବିଏସ୍ଏଫ୍ ଯବାନ କୋରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ସଂକ୍ରମିତ ଏବଂ କୋରୋନା ଯୋଦ୍ଧାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଯେଉଁଭଳି ଭାବେ ସ୍ବାସ୍ଥ୍ୟ କର୍ମୀ, ପୋଲିସ୍, ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ସମେତ ଆଗ ଧାଡ଼ିର କୋରୋନା ଯୋଦ୍ଧାମାନେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି ତାକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ମାଲକାନଗିରି ଜିଲ୍ଲାରୁ ଆଜି ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୯ ଜଣ ବିଏସ୍ ଯବାନ କୋରୋନାରେ ଆକ୍ରାନ୍ତ ହୋଇଥିବା ମାଲକାନଗିରି ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏହି ବିଏସ୍ଏଫ୍ ଯବାନମାନେ ମାଲ୍ୟବନ୍ତ ବୟେଜ୍ ହଷ୍ଟେଲ୍, ଜୁନିୟର ସାଇନ୍ସ କଲେଜ ହଷ୍ଟେଲ୍ରେ ରହୁଥିଲେ। ଏମାନେ ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସିଥିବା ଜିଲ୍ଲାପାଳ କହିଛନ୍ତି। ସେହିପରି ଆଜି ଚିହ୍ନଟ ହୋଇଥିବା ଅନ୍ୟ ୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟର୍ରୁ ଚିହ୍ନଟ ହୋଇଥିବା ବେଳେ ସେମାନେ ତାମିଲନାଡ଼ୁ ଓ ନୂଆଦିଲ୍ଲୀରୁ ଫେରିଥିଲେ। ସେହିପରି ଅନ୍ୟ ୩ ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆ ଦିଲ୍ଲୀରୁ ଫେରିଥିଲେ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହୋଇଥିବା ବେଳେ ୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି।


