୨ କରୋନା ପଜିଟିଭ ଚିହ୍ନଟ ବିନା ପରିକ୍ଷା ପାଲିଟିଛି ଚିନ୍ତାର କାରଣ
ନାଉଗାଁ, (ଓ୍ବାଇଏନ୍ଏସ୍) : କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ନାଉଗାଁରେ ବୃଦ୍ଧି ପାଇବାରେ ଲାଗିଛି । ନାଉଗାଁ ବ୍ଳକରେ ଜିଲ୍ଲାର ପ୍ରଥମ କରୋନା ଚିହ୍ନଟ ହୋଇଥିବା ବେଳେ ବର୍ତମାନ ନାଉଗାଁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ରେ ପହଂଚିଛି । ସେଥିମଧ୍ୟରୁ ୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସରକାରଙ୍କ ନିୟମାନୁସାରେ ପ୍ରବାସୀମାନେ ୭ ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବେ । ଯେଉଁ ମାନଙ୍କର କୌଣସି ଲକ୍ଷଣ ଦେଖାଯିବ ନାହିଁ ତାଙ୍କୁ ବିନା ପରୀକ୍ଷାରେ ଘରକୁ ପଠାଯିବ । ସେମାନେ ନିୟମାନୁସାରେ ଘରେ ପହଂଚି ୭ ଦିନ ହୋମ କ୍ୱାରେଂଟାଇନରେ ରହିବେ । ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରାଯିବ । ଏହି ନିୟମ ଅନୁସାରେ ଗଜରାଜପୁର ପଂଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୫ ଜଣ, ରୋହିଆରେ ୫୧ ଜଣ ଓ ଘୋଡାଂଶ ପଂଚାୟତରେ ୮୪ ଜଣ ସମୁଦାୟ ୧୯୦ ଜଣ ପ୍ରବାସୀଙ୍କ ବିନା ପରୀକ୍ଷାରେ ଘରକୁ ଫେରିଛନ୍ତି । ହେଲେ ଉକ୍ତ ପ୍ରବାସୀମାନଙ୍କ ମଧ୍ୟରୁ କିଛି ପ୍ରବାସୀ ଘରେ ପହଂଚିବା ପରେ ହୋମ କ୍ୱାରେଟାଂନରେ ରହୁ ନଥିବା ବେଳେ ଅନାୟସରେ ବାହାରେ ବୁଲା ବୁଲି କରୁଥିବା ଦେଖାଯାଇଛି । ଯାହାକି ଗୋଷ୍ଠୀ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ଥିବା ଜଣାଯାଇଛି । ଅନ୍ୟପଟରେ ଗଜରାଜପୁର ପଂଚାୟତ ଦେବୀଦୋଳସ୍ଥିତ ମା କୁତାମଚଣ୍ଡୀ ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୦ ଜଣ ପ୍ରବାସୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୫ଜଣ ବୟସ୍କ ଲୋକଙ୍କ ଠାରୁ ୨୬ ତାରିଖରେ ସ୍ୱାବ ସଂଗ୍ରହ କରାଯାଇଥିଲା । ଅନ୍ୟ ୫୫ ଜଣଙ୍କୁ ବିନା ସ୍ୱାବ ସଂଗ୍ରହରେ ଘରକୁ ଛାଡି ଦିଆଯାଇଥିଲା । ହେଲେ ଉକ୍ତ ୫ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ୨୭ ତାରିଖରେ ପଜିଟିଭ ଚିହ୍ନଟ ହୋଇଛି । ଯାହାକି ବିନା ପରୀକ୍ଷାରେ ଘର ବାହୁଡା ହୋଇଥିବା ପ୍ରବାସୀ ବର୍ତମାନ ସ୍ଥାନୀୟ ଅଂଚଳରେ ଚିନ୍ତାର କାରଣ ପାଲଟିଛି ।