୨ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକ୍ଷମ ହେବ ୫ ପାଣିଟାଙ୍କି
ନୟାହାଟ (ଜୁଗାବ୍ଦ ନ୍ୟୁଜ୍): ଅସ୍ତରଙ୍ଗ ଉପକୂଳ ଅଞ୍ଚଳରେ ନଳକୂପମାନଙ୍କରୁ ଲୁଣି ପାଣି ବାହାରୁଥିବା ଓ ଜଳସ୍ତର କମୁଥିବା ଖବର ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ୫ଟି ଭୂତଳ ହାଇଲେବୁଲ ଅଣ୍ଡର ଗ୍ରାଉଣ୍ଡ ପାଣି ଟାଙ୍କି ୨କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ ବୋଲି ଅଟକଳ କରାଯାଇଛି । ଏଠାରେ ପ୍ରକାଶ ଥାଉ କି ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନଥିଲା । ଯାହାଫଳରେ ଲୁଣି ପାଣି ବାହାରୁଥିବା ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ କାକଟପୁର ପ୍ରାଚୀ ନତୀରୁ ବିଶୋଧନ ପାଣି ଯୋଗାଇଦେବାପାଇଁ ବ୍ୟବସ୍ଥା କରାଯାଇ ନୂତନ ପାଇପ୍ ପଡ଼ିବା ସହିତ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ପାଇପ୍ କାକଟପୁରଠାରୁ ଆସି ଅସ୍ତରଙ୍ଗ ସିନେମା ହଲ ଛକଠାରେ ଥିବା ହାଇଲେବୁଲ ଅଣ୍ଡର ଗ୍ରାଉଣ୍ଡ ପାଣିଟାଙ୍କିରେ ଭର୍ତ୍ତି ହେବାପରେ ସେଠାରୁ ନୂତନ ଭାବେ ପାଇପ୍ ପଡ଼ୁଥିବା ପାଇପରେ ଅସ୍ତରଙ୍ଗ ବଜାରର ହାଇସ୍କୁଲ ଛକଠାରୁ ଦୁଇଟି ଶାଖା କରାଯାଇ ଗୋଟିଏ କଣବଣସହିତ କଣ୍ଡେଇମୁଣ୍ଡୁଳି ଅଣ୍ଡରଗ୍ରାଉଣ୍ଡ ପାଣିଟାଙ୍କିକୁ ସଂଯୋଗ କରିଥିବାସ୍ଥଳେ ଆଉ ଗୋଟିଏ ଆଳସାହି, ଆଳିଙ୍ଗପୁର ଅଣ୍ଡରଗ୍ରାଉଣ୍ଡ ପାଣିଟାଙ୍କିକୁ ସଂଯୋଗ କରିବାର ବ୍ୟବସ୍ଥା ରହିଛି । ନିମ୍ନମାନ କାର୍ଯ୍ୟ ସହ ମାଟିତଳେ ଚୋରାରେ ଘରୋଇ ଲୋକମାନେ ପାଇପ୍ ବିଛାଇ ଚାଷଜମିକୁ ପିଇବା ପାଣି ମଡ଼ାଉଥିବାରୁ ଲୋକମାନେ ପାଇ ନପାଇ ଲୁଣିପାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ମତପ୍ରକାଶ ପାଉଛି ।


