୨ ମାସର କଟକଣା ହଟିଲା: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କଶ୍ମୀର
ଶ୍ରୀନଗର: ଦୀର୍ଘ ୨ ମାସର କଟକଣା ପରେ କଶ୍ମୀର ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଦୁଇମାସ ପୂର୍ବେ ସମସ୍ତ ପର୍ଯ୍ୟଟକଙ୍କୁ କଶ୍ମୀର ଛାଡ଼ିବାପାଇଁ କୁହାଯାଇଥିଲା । ଅଗଷ୍ଟ ୨ ତାରିଖରେ କେନ୍ଦ୍ର ସରକାର ଅମରନାଥ ଯାତ୍ରା ବାତିଲ କରିଦେଇଥିଲେ ଏବଂ ସମସ୍ତ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ତୁରନ୍ତ କଶ୍ମୀର ଛାଡି଼ବାକୁ ନିର୍ଦ୍ଦେଶ ଦେଇଥିଲେ । କଶ୍ମୀର ପର୍ଯ୍ୟଟକଙ୍କ ପାଇଁ ଏବେ ପୁଣିଥରେ ଖୋଲିବା ସହ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀନଗର ସହରର ସ୍ଥିତି ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ହେଉଛି । ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକ୍ ଗତ ସୋମବାର ଦିନ ମୁଖ୍ୟ ସଚିବ ଏବଂ ପରାମର୍ଶଦାତାଙ୍କ ସହ ସୁରକ୍ଷା ସ୍ଥିତି ସଂକ୍ରାନ୍ତ ବୈଠକ କରିବାପରେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଜମ୍ମୁରେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ଥିବା ବେଳେ ଘାଟି ଅଂଚଳରେ ବ୍ୟବସାୟିକ କାରବାର ମଧ୍ୟ ସ୍ୱାଭାବିକ ହେବାରେ ଲାଗିଛି । ଗତ ବୁଧବାରଠାରୁ ଜମ୍ମୁ କଶ୍ମୀରରେ ସମସ୍ତ ସ୍କୁଲ୍, କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିଛି । ଧାରା ୩୭୦ ହଟିବା ପରେ ଆସନ୍ତା ୨୪ ତାରିଖରେ ପ୍ରଥମ ପଂଚାୟତ ନିର୍ବାଚନ ହେବାକୁ ଯାଉଛି । ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ କଶ୍ମୀରରେ ଅଟକ ଥିବା ରାଜନେତାଙ୍କ ମଧ୍ୟରୁ ୩ ଜଣ ଆଜି ମୁକ୍ତ ହୋଇଛନ୍ତି । ୟବର ମୀର, ନୁର ମହମ୍ମଦ ଏବଂ ସୋହେବ ଲୋନ୍ଙ୍କୁ ଆଜି ଜମ୍ମୁ କଶ୍ମୀର ପ୍ରଶାସନ ମୁକ୍ତ କରିଛନ୍ତି । ମୀର ଜଣେ ପୂର୍ବତନ ପିଡିପି ବିଧାୟକ ଏବଂ ରଫିଆବାଦ୍ ବିଧାନସଭା ଆସନକୁ ସେ ପ୍ରତିନିଧିତ୍ୱ କରୁଥିଲେ । ସୋହେବ ଲୋନ୍ ଉତ୍ତର କଶ୍ମୀରରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ପରେ ସେ ଦଳର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ନୁର ମହମ୍ମଦ୍ ଜଣେ ଏନ୍ସି (ନ୍ୟାସନାଲ କନଫରେନ୍ସ) କର୍ମୀ । ପୂର୍ବରୁ ପିପୁଲସ କନଫରେନ୍ସର ଇମ୍ରାନ୍ ଅନ୍ସାରୀ ଏବଂ ଏନ୍ସିର ସୟଦ ଅଖୁନ୍ଙ୍କୁ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଗତ ସେପ୍ଟେମ୍ବର ୨୧ ତାରିଖରେ ମୁକ୍ତ କରାଯାଇଥିଲା । ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରର ପ୍ରାୟ ୧୦୦୦ରୁ ଅଧିକ ରାଜନେତା ଅଟକ ଅଛନ୍ତି । ଅଟକ ଥିବା ରାଜନେତାଙ୍କ ମଧ୍ୟରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ˜ି ମଧ୍ୟ ଅଛନ୍ତି । ୨୫୦ରୁ ଅଧିକ ରାଜନେତାଙ୍କୁ ଜମ୍ମୁ କଶ୍ମୀର ବାହାରେ ଥିବା ଜେଲକୁ ପଠାଇ ଦିଆଯାଇଛି । ଫାରୁକ୍ ଅବଦୁଲ୍ଲା ଜନ ସୁରକ୍ଷା ଆଇନ ଅଧୀନରେ ଅଟକ ଥିବାବେଳେ ଅନ୍ୟ ରାଜନେତାମାନେ ଅନ୍ୟ ଆଇନ ବଳରେ ଅଟକ ରହିଛନ୍ତି ।