୨.୬କୋଟିରୁ ଊଦ୍ଧ୍ୱର୍ ଚାଷୀଙ୍କୁ ୫୨୧୫କୋଟି ପ୍ରଦାନ
ନୂଆଦିଲ୍ଲୀ, (ଏଜେନ୍ସି): ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧିନରେ ଏଯାବତ୍ ୨.୬କୋଟିରୁ ଊଦ୍ଧ୍ୱର୍ ଛୋଟ ଓ ସୀମାନ୍ତ ଚାଷୀଙ୍କୁ ୫୨୧୫କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଗତ ମାସରେ ୨୦୧୯-୨୦ର ଅନ୍ତରିମ ବଜେଟ୍ରେ ସରକାର ଏହି ଚାଷୀଙ୍କୁ ଏକ ନିଶ୍ଚିତ ନ୍ୟୁନତମ ଆୟ ପ୍ରଦାନ କରିବା ପାଇଁ ଏହି ଯୋଜନା ଘୋଷଣା କରିଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ୭୫ହଜାର କୋଟିର ଏହି ଯୋଜନା ସମ୍ବନ୍ଧରେ ଘୋଷଣା କରିଥିଲେ । ଏହା ଅଧିନରେ ଦେଶରେ ଦୁଇ ହେକ୍ଟର କମ୍ ଜମି ଥିବା ପାଖାପାଖି ୧୨କୋଟି ଚାଷୀଙ୍କୁ ୩ଟି କିସ୍ତିରେ ୬ହଜାର ଟଙ୍କାର ନୂନ୍ୟତମ ବାର୍ଷିକ ଆୟ ପ୍ରଦାନ କରାଯିବ । ଅନ୍ତରିମ ବଜେଟ୍ରେ ସରକାର ଏଥିପାଇଁ ୨୦ହଜାର କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏହା ଅଧିନରେ ମାର୍ଚ୍ଚ ଶେଷ ସୁଦ୍ଧା ଚାଷୀଙ୍କୁ ୨ହଜାର ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଅଧିକାରିକ ଆରମ୍ଭ ଫେବ୍ରୁଆରୀ ୨୪ରେ ଗୋରଖପୁର ଠାରେ କରିଥିଲେ । ପ୍ରକାଶ ଯେ ଏହି ଯୋଜନାର ଘୋଷଣା ହେବାର ୩୭ ଦିନ ଭିତରେ ୨.୬କୋଟିରୁ ଊଦ୍ଧ୍ୱର୍ ଛୋଟ ଏବଂ ସୀମାନ୍ତ ଚାଷୀଙ୍କୁ ଏଯାବତ୍ ୫,୨୧୫କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।


