୩କୋଟି ଅତିକ୍ରମ କଲା ନମୁନା ପରୀକ୍ଷଣ
ନୂଆଦିଲ୍ଲୀ : କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟରେ ଭାରତ ୩କୋଟି ନମୁନା ପରୀକ୍ଷା କରି ଆଜି ରେକର୍ଡ ସୃଷ୍ଟି କରିଛି । ରୋଗ ନିରୂପଣ ପରୀକ୍ଷାଗାରର ସମ୍ପ୍ରସାରଣ ଓ ସଅଳ ପରୀକ୍ଷଣ ସୁବିଧା ଯୋଗୁଁ ଏଥିରେ ଉଲ୍ଲେଖନୀୟ ସଫଳତା ମିଳିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୭,୩୧,୬୯୭ନମୁନା ପରୀକ୍ଷା କରାଯାଇଛି । ଏହାଫଳରେ ଏକ ନିୟୁତ ପିଛା ନମୁନା ପରୀକ୍ଷଣ ଦ୍ରୁତ ଗତିରେ ବୃଦ୍ଧି ପାଇ ୨୧,୭୬୯ରେ ପହଞ୍ଚିଛି । ଗତ ଜୁଲାଇ ୧୪ରେ ନମୁନା ପରୀକ୍ଷା ୧.୨୦କୋଟିରେ ପହଞ୍ଚିଥିବା ବେଳେ ଗତକାଲି ସୁଦ୍ଧା ଏହି ସଂଖ୍ୟା ୩କୋଟି ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ଏହା ଶତକଡା ୭.୫ରୁ ୮.୮୧ପ୍ରତିଶତକୁ ବୃଦ୍ଧି ପାଇଛି । ଅଧିକ ନମୁନା ପରୀକ୍ଷା ଯୋଗୁଁ ସ୍ଵାଭାବିକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଦିଲ୍ଲୀରେ ନିଆଯାଇଥିବା ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ, କ୍ରମାଗତ ସଙ୍ଗରୋଧ, ଚିହ୍ନଟିକରଣ ଓ ସମୟୋଚିତ ଉପଚାର ବଳରେ ଏହା କ୍ରମଶଃ ହ୍ରାସ ପାଇବ । ବ୍ୟାପକ ପରୀକ୍ଷଣ ଯୋଗୁଁ ସଅଳ ଚିହ୍ନଟିକରଣ ଓ ସଂକ୍ରମିତ ରୋଗୀଙ୍କ ସଙ୍ଗରୋଧ ଶୀଘ୍ର କରାଯାଇ ପାରୁଛି । ଏଥିସହ ଦକ୍ଷ ଉପଚାର ଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି । ସେଦୃଷ୍ଟିରୁ ଅଧିକ ଓ ସମୟୋଚିତ ପରୀକ୍ଷା ସଂକ୍ରମିତଙ୍କୁ ଚିହ୍ନଟ କରିବା ସହ ମୃତ୍ୟୁ ସଂଖ୍ୟା ହ୍ରାସରେ ମଧ୍ୟ ସହାୟକ ହେଉଛି । ରୋଗ ନିରୂପଣ ପାଇଁ ପରୀକ୍ଷାଗାରଗୁଡିକର ଦ୍ରୁତ ସମ୍ପ୍ରସାରଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଗତ ଜାନୁଆରୀ ମାସରେ ଦେଶରେ ପୁଣେରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ବର୍ତ୍ତମାନ 969ଟି ସରକାରୀ ଓ ୫୦୧ଟି ଘରୋଇ ଏହିଭଳି ମୋଟ ୧୪୭୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଇପାରୁଛି ।


