୩ବର୍ଷର ଶିଶୁ ଉପରେ ଚଢ଼ିଗଲା ଟ୍ରକ, ଉତ୍ତ୍ୟେକ୍ତ ଲୋକଙ୍କ ରାସ୍ତା ଅବରୋଧ
ହାଟଡ଼ିହି, : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବରାଙ୍ଗ-ଜାବିନିପୁର ରାସ୍ତାର ନସିରିପୁର ଠାରେ ଆଜି ଜଣେ ୩ବର୍ଷର ଶିଶୁ ଉପରେ ୪୦୭ଟ୍ରକ ଚଢ଼ିଯିବାରୁ ଶିଶୁପୁତ୍ରଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହାକୁ ନେଇ ଉତ୍ତ୍ୟେକ୍ତ ଲୋକମାନେ ସକାଳ ୭ଟା ଠାରୁ ରାସ୍ତା ଅବରୋଧ କରି ରାସ୍ତାରେ ବସି ରହିଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ସକାଳେ ଅମୁଲ୍ୟ ଦାସଙ୍କ ୩ର୍ଷର ପୁଅ ରୋହନ ଦାସ ନିଜ ଘର ସମ୍ମୁଖରେ ଖେଳୁଥିବା ବେଳେ ସେହିବାଟ ଦେଇ ଯାଉଥିବା ଏକ ୪୦୭ଟ୍ରକ ରୋହନ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକମାନେ ୪୦୭ଟ୍ରକର ପିଛାକରି ଗେଡମା ନିକଟରେ ଗାଡିଟିକୁ ଅଟକାଇବା ସହ ତାର ଚାଳକକୁ ଧରି ନସିରିପୁର ଗାଁକୁ ଆଣିଥିଲେ । ଏକମାତ୍ର ପୁତ୍ରର ଏପରି ଦାରୁଣ ମୃତରେ ଶିଶୁର ପିତାମାତାଙ୍କ କ୍ରନ୍ଦନ ଧ୍ୱନିରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବାଲି ବୋଝଇ ଗାଡି ଦ୍ୱାରା ବାରମ୍ବାର ଏପରି ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁନେଇ ସ୍ଥାନୀୟ ଲୋକମାନେ ମୃତ ଶିଶୁର ଶବକୁ ରଖି ରାସ୍ତା ଅବରୋଧ କରିଥିଲେ । ଖବରପାଇ ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ନନ୍ଦିପଦା ଥାନା ଆଇଆଇସି ମାନସ ସ୍ୱାଇଁ, ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ୧୦ଲକ୍ଷ ଟଙ୍କା କ୍ଷତିପୁରଣ ଦେବାସହ ଗାଡି ଚଳାଚଳରେ ନିୟନ୍ତ୍ରଣ କରିବା ଓ ବାଲିପରିବହନ କ୍ଷେତ୍ରରେ ନିର୍ଦ୍ଦଷ୍ଟ ସମୟ ନିର୍ଦ୍ଧାରଣ ଆଦି ଦାବିରେ ଲୋକମାନେ ଶବକୁ ଧରି ବସି ରହିଛନ୍ତି । ସକାଳ ୭ଟା ଠାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗ୍ରାମବାସୀମାନେ ଶବକୁ ଧରି ରାଜ ରାସ୍ତାରେ ବସିରହିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରି ନାହିଁ ।


