୩୦୦କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାନେଇ ଅନିଶ୍ଚିତତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାରଙ୍କ ଦିଶାହୀନ ଯୋଜନା ଯୋଗୁଁ ୩୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ମେଗା ୱାଟର ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେବାନେଇ ଅନିଶ୍ଚିତତା ଦେଖାଦେଇଛି । ସମ୍ପତ୍ତି ବିକାଶ ସମୃଦ୍ଧି ଅନୁଦାନରେ ଗତ ୨୮/୧୧/୨୦୧୯ରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ଦ୍ୱାରା ହାଟଡିହି ବ୍ଲକର ୨୦୦ଗ୍ରାମର ୨ଲକ୍ଷ ୬ହଜାର ୯୮୨ ଜଣ ପାଣି ପାଇପାରିବାର ଲକ୍ଷ ରଖାଯାଇ ଢ଼େଙ୍କା ପଞ୍ଚାୟତର ସଙ୍ଗମ ଗ୍ରାମରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗ୍ରାମ୍ୟ ଜଳଯୋଗାଣ ବିଭାଗ ଆନନ୍ଦପୁରଙ୍କ ତତ୍ୱାବଧାନରେ ହାଇଦ୍ରାବାଦର ଏନସିସି କମ୍ପାନୀ ଦ୍ୱାରା ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା । ୨୭/୧୧/୨୦୨୧ରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ ଧାର୍ଯ୍ୟ ହୋଇଥିଲା । ମାତ୍ର କରୋନା ପାଇଁ କାର୍ଯ୍ୟ ଗୁଡିକ ଆଗେଇ ନପାରିବାରୁ ନଭେମ୍ବର ୨୦୨୨ରେ ଏହାକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ଧାର୍ଯ୍ୟ ହୋଇଥିଲା । ହଦଗଡର ସାଳନ୍ଦୀ ଜଳଭଣ୍ଡାରରୁ ପାଇପ ଯୋଗେ ପାଣି ଆଣି ଏଠାରେ ବିଶୋଧନ କରାଯାଇ ୨୦୦ଗ୍ରାମର ପ୍ରତି ଘରକୁ ଘର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ହଦଗଡ ଠାରୁ ପ୍ରକଳ୍ପ ପର୍ଯ୍ୟନ୍ତ ପାଇପ ବିଛା ଯାଇଥିବା ବେଳେ ପ୍ରକଳ୍ପ ଠାରୁ ପ୍ରତି ପଞ୍ଚାୟତ ଓ ପ୍ରତି ଗାଁ ଗାଁରେ ମଧ୍ୟ ପାଇପ ବିଛା କାର୍ଯ୍ୟ ଏକପ୍ରକାର ସମାପ୍ତ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଜଂଗଲ ବିଭାଗର କ୍ଲିଅରାନସ ନମିଳିବାରୁ ଏବେ ହଦଗଡ ଜଳଭଣ୍ଡାରରୁ ପାଣି ଆଣିବା କାର୍ଯ୍ୟ ସମ୍ଭବ ହୋଇପାରିଲାନି । ଯାହାଦ୍ୱାରାକି ଏହି ପ୍ରକଳ୍ପକୁ କିପରି ତୁରନ୍ତ କାର୍ଯ୍ୟକ୍ଷମ କରାଇବେ ସେନେଇ ବିଭାଗ ପକ୍ଷରୁ ବିଦ୍ୟାଧରପୁର ବ୍ୟାରେଜରୁ ପାଣି ଆଣିବାପାଇଁ ନିଷ୍ପତି ନିଆଯାଇଛି । ଏପରିକି ହଦଗଡକୁ ବିଛାଯାଇଥିବା ପାଇପ ଗୁଡିକ ଖୋଲି ପୁନର୍ବାର ବିଦ୍ୟାଧରପୁରକୁ ସଂଯୋଗ କରିବାକୁ ନିଷ୍ପତି ନିଆଯାଇଛି । ଯାହାଦ୍ୱାରାକି ପୁନର୍ବାର କୋଟି କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । କିନ୍ତୁ ବିଦ୍ୟାଧରପୁର ବ୍ୟାରେଜଟି ବର୍ଷର ଅଧିକାଶଂ ସମୟ ଶୁଖିଲା ପଡୁଥିବାରୁ ଏଠାରୁ ନିମୟମିତ ପାଣି ଉଠାଇବା ଓ ପର୍ଯ୍ୟାପ୍ତ ପାଣି ଗାଁ ମାନଙ୍କୁ ଯୋଗାଇ ଦେବା କେତେଦୁର ସମ୍ଭବ ହୋଇପାରିବ ତାହାକୁ ନେଇ ପ୍ରଶ୍ନ ଉଠିଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେଯେ ଯେ ୩୦୦କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏପରି ଏକ ପ୍ରକଳ୍ପ ପାଇଁ ପୁର୍ବରୁ ଜଂଗଲ ବିଭାଗ ପକ୍ଷରୁ ଅନୁମତି ନିଆନଯାଇ କାର୍ଯ୍ୟ ଆରମ୍ଭ କରାଯାଉଥିଲା କିପରି । ସେହିପରି ଠିକା ସଂସ୍ଥା ପକ୍ଷରୁ ଗାଁ ଗହଳିରେ ବିଛା ଯାଇଥିବା ପାଇପ ଗୁଡିକ ମଧ୍ୟ ଠିକ ଭାବେ ବିଛା ଯାଇନାହିଁ । ଏନସିସି ଠିକାସଂସ୍ଥା ଗାଁ ଗହଳିର କିଛି ଲୋକଙ୍କୁ ଠିକାଦେଇ ଏହି ପାଇପ ବିଛା କାର୍ଯ୍ୟ ଯେଣତେଣ ପ୍ରକାର ସାରି ଦେଇଛି । ପ୍ରତି ପଞ୍ଚୟତରେ ଯେଉଁ ପାଣି ଟାଙ୍କି ଗୁଡିକ ନିର୍ମାଣ ହୋଇଛି ତାର ଅବସ୍ଥା ମଧ୍ୟ ସେହିପରି । ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ପାଣି ଯୋଗାଣ ହେଲେ ଟାଙ୍କି ଗୁଡିକରେ ପାଣି ରହୁଛି କି ଲିକ କରୁଛି ତାହା ଜଣାପଡିବ ।ଏସମ୍ପର୍କରେ ସେମାନେ ଯାହା କୁହନ୍ତି – ସରକାର ପ୍ରକଳ୍ପ ଆରମ୍ଭ ପୁର୍ବରୁ ଜଂଗଲ ବିଭାଗର ଅନୁମତି ଆଣିବାର ଥିଲା । ପାଇପ ବିଛାକାର୍ଯ୍ୟ ସରିଥିବାବେଳେ ଏବେ ପୁନର୍ବାର ସେଗୁଡିକୁ ସ୍ଥାନାନ୍ତର କରି ଅନ୍ୟତ୍ର ପାଇ ଉଠାଇବା ପୁର୍ନବାର କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାକି ସରକାରଙ୍କର ଅଯଥା କୋଟି କୋଟି ଟଙ୍କା ଅପବ୍ୟୟ ହେବ । ସୋମନାଥ ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରାଜ୍ୟ ସରକାର ପାଣି ଯୋଗାିବା ନାଁରେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହି ଯୋଜନା କରିଥିଲେ । ୨୦୧୯ରେ ନିର୍ବାଚନ ଥିବାରୁ ଅତି ତରବରିଆ ଭାବେ ଏହି ପ୍ରକଳ୍ପ ଘୋଷଣା କରି ଓମବାଡସିରୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଲେ । ସମୟ ଅବଧି ଭିତରେ କାମ ସରିଲା ନାହିଁ । ପୁନର୍ବାର ବିଦ୍ୟାଧରପୁର ବ୍ୟାରେଜରୁ ପାଣି ଯୋଗାଇବ ବୋଲି କୁହାଯାଉଛି । ବ୍ୟାରେଜ ତ ଶୁଖିଲା ପଡିଛି, ସରକାରଙ୍କର ଖାମ ଖିଆଲି ନୀତି ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ଆଲୋକ ସେଠୀ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଏହା ନଭେମ୍ବର ସୁଧା କାର୍ଯ୍ୟକରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିଲା । କିନ୍ତୁ ଶେଷ ସମୟରେ ଜଂଗଲ ବିଭାଗର ଅନୁମତି ନମିଳିବାରୁ ବିଦ୍ୟାଧରପୁର ବ୍ୟାରେଜରୁ ପାଣି ନେବାପାଇଁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଆଜି ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଆସି ଏହାର ସମୀକ୍ଷା କରିଛନ୍ତି । ବର୍ତ୍ତମାନ ବୈତରଣୀ ନଦଂ ସଂଯୋଗୀ କରଣ ଯୋନାରେ ପାଣି ଆସି ବିଦ୍ୟାଧରପୁର ବ୍ୟାରେଜରେ ରହିବା ପରେ ଆଉ ପାଣିର ଅଭାବ ରହିବ ନାହିଁ । ଅଳ୍ପ ଦିନ ଭିତରେ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯାଇ ଜଳ ଯୋଗାଣ କରାଯିବ । ଉତ୍ସବ ଚରଣ ଜେନା, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗ