୩୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ତିନି ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗତକାଲି ଓ ଆଜି ୨ଦିନରେ ଗଜପତି ପୋଲିସ ଦ୍ୱାରା ୨ ଗଞ୍ଜେଇ ଚୋରା ଚଲାଣ ଦଳକୁ ଜବତ କରାଯାଇଛି । ଏଥିରେ ପୋଲିସ ଏକ ମକା ବୋଝେଇ ଭ୍ୟାନରୁ ୨୫ଲକ୍ଷ ଓ ଏକ ଅଟୋରୁ ୫ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରିଛନ୍ତି । ଏଥିରେ ମୋଟ ୩ଜଣଙ୍କୁ ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ,ଆଜି ସକାଳ ସମୟରେ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଏକ ମକା ବୋଝେଇ ଭ୍ୟାନ୍ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମୋହନା ପୋଲିସ ଜବତ କରିଛି । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଛି । ଏସଡିପିଓ ଅଶୋକ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଆଜି ସକାଳେ ମହୋନା ପୋଲିସ ଲୁହାଗୁଡି ଗ୍ରାମ ଠାରୁ ୨କିମି ଦୁରରେ ଲୁଦୁରୁ ଛକ ଠାରେ ଦୃତ ଗତିରେ ଯାଉଥିବା ଏକ ବୋଲେରୋ ପିକଅପ୍ ଭ୍ୟାନ୍ ନଂ-ଡବ୍ଲୁ ବି ୩୭-ଟି ୪୭୦୦କୁ ଅଟକାଇଥିଲେ । ପୋଲିସ ଖୋଲତାଡ କରିବା ପରେ ସେହି ମକା ବୋଝେଇ ଗାଡିରୁ ୪୬୮କେଜି ଗଞ୍ଜେଇ ଜବତ କରିଥିଲେ । ଉପରେ ମକା ରଖି ତଳେ ଗଞ୍ଜେଇ ବସ୍ତାକୁ ଛପାଇ ଚାଲାଣ ହେଉଥିଲା । ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚୋରା ଚାଲାଣରେ ସଂପୃକ୍ତ ଥିବା ୨ଜଣ ଅଭିଯୁକ୍ତ ପଶ୍ଚିମବଙ୍ଗର ଅଟନ୍ତି । ତପନ ଦେ ଓ ଗୌତମ ନାମକ ଏହି ୨ଜଣକୁ ପୋଲିସ ଗିରଫ କରିଛି । ଏହି ଗଞ୍ଜେଇ କୋରାପୁଟରୁ ଅଣାଯାଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଜଣାପଡିଛି । ମହୋନା ଥାନା ଅଧିକାରୀ ସୁଜିତ ନାୟକ ଏବଂ ତାଙ୍କ ଟିମ୍ ଏହି ଗଞ୍ଜେଇ ଜବତ କରିଛନ୍ତି । ସେହିପରି ଭାବେ ଆର.ଉଦୟଗିରି ପୋଲିସ ପକ୍ଷରୁ ଛେଲାଗଡ ଗ୍ରାମରୁ ଆସୁଥିବା ଏକ ଅଟୋକୁ ସଂନ୍ଦେହରେ ଅଟକାଯାଇ ତଦନ୍ତ କରିବାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସ୍ୱଷ୍ଟ ହୋଇଥିଲା । ଏଥିରେ ୭୫କିଲୋ ଗଞ୍ଜେଇ ଗଚ୍ଛିତ ଥିଲା । ଅଟୋଟି ବ୍ରହ୍ମପୁରକୁ ଗଞ୍ଜେଇ ଚୋରାଚାଲାଣ ପାଇଁ ଯାଉଥିବା ଜଣାଗଲା । ତେଣୁ ଅଟୋ ନଂ-ଓଡି ୦୭ଏନ୍ ୪୦୩୧କୁ ଜବତ କରାଯିବା ସହ ଅଟୋ ଚାଳକ ତଥା ଚୋରାଚାଲାଣକାରୀ ଧନୁଞ୍ଜୟ ରଇତକୁ ଗିରଫ କରାଗଲା । ଆର.ଉଦୟଗିରି ଥାନାରେ କେସ ନଂ-୫୧/୨୦ରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଆଜି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମମତା ନାୟକ ଜଣାଇଛନ୍ତି ।


