୩୩ତମ କୋଣାର୍କ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ୩୩ତମ କୋଣାର୍କ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚୀନ ରାମଚନ୍ଦ୍ର ଯାଦବଙ୍କ ଅଧକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ ଚଳିତ ବର୍ଷ କୋଣାର୍କ ଉତ୍ସବକୁ ସରସ ସୁନ୍ଦର ଭାବେ ଆୟୋଜନ କରାଯିବା ସହ ଏକ ନିଆରା ଢଙ୍ଗରେ କରାଯିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ଚନ୍ଦ୍ରଭାଗା ଠାରେ ଗତ ୨୦୧୫ ମସିହା ଠାରୁ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ଆର୍କଷଣୀୟ ଭାବେ ଆୟୋଜନ କରାଯିବା ସହ ବିଦେଶୀ ଓ ଦେଶୀୟ ବାଲୁକା ଶିଳ୍ପୀ ମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ମହୋତ୍ସବର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ କୋଣାର୍କ ଉତ୍ସବ ଅନୁଷ୍ଠିତ ହେଉଥିବା ମୁକାକାଶ ରଗଂମଚ, ଦର୍ଶକ ଗ୍ଯାଲେରୀ, ଗ୍ରୀନ ରୁମର ସୌନ୍ଦର୍ଯ୍ୟ କରଣ, ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପୋଲିସ ପ୍ରେଟୋଲିଂଗ ବ୍ୟବସ୍ଥା, ଅପରାଧ ମାନଙ୍କୁ ନିଯନ୍ତ୍ରଣ ଓ କୋଣାର୍କ ଉତ୍ସବ ଏବଂ ବାଲୁକା କଳା ମହୋତ୍ସବରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଇବା ଉପରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ କୋଣାର୍କ, ପୁରୀ, ଭୁବନେଶ୍ବର ଓ କଟକ ଆଦି ସ୍ଥାନରେ ଜନସାଧାରଣ ମାନେ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଲାଇଭ ଟେଲିକାଷ୍ଠ ଦେଖିବା ପାଇଁ ଏଲସିଡ ମାନ ପର୍ଯ୍ୟଟନ ବିଭାଗ ପକ୍ଷରୁ ଲଗାଇବା ଉପରେ ଆଲୋଚନା ହୋଇଥିଲା। କୋଣାର୍କ ଉତ୍ସବ ସ୍ଥାନ ଓ ଚନ୍ଦ୍ରଭାଗା ଠାରେ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ସ୍ଥାନରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ସେବା ଓ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲା ଯାଇ ଜନସାଧାରଣ ଓ ପର୍ଯ୍ୟଟକ ମାନଙ୍କ ନିମନ୍ତେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା। ସେହିପରି ଜନସ୍ବାସ୍ଥ୍ୟ ବର୍ଗ ଦ୍ବାରା ଚନ୍ଦ୍ରଭାଗା ଓ କୋଣାର୍କ ଠାରେ ୪ଗୋଟି ଟ୍ଯାଙ୍କର ଯୋଗେ ପାନୀୟ ଜଳଯୋଗାଣ ଓ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ଦ୍ବାରା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ସ୍ଥାନ ମାନଙ୍କରେ ଯେଭଳି ଭାବରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚୀନ ରାମଚନ୍ଦ୍ର ଯାଦବ ନିର୍ଦେଶ ଦେଇଥିଲେ। କୋଣାର୍କ ଉତ୍ସବରେ ଅନୁଷ୍ଠିତ ହେଉଥିବା ପୁସ୍ତକ ମେଳା, ସାହିତ୍ୟ ଆସର, ପର୍ଯ୍ୟଟନ ସାହିତ୍ୟ ଶୀର୍ଷକ କର୍ମଶାଳା, ବିଶାଳ ଗଣଦୌଡ,ବେଳାଭୂମି ପଦଯାତ୍ରା ଓ ସାଇକ୍ଲୋଥୋନ ଆଦି କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ମାନ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ଓଡିଶା ଲଳିତ କଳା ଏକାଡ଼େମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓଡିଶା ସଂଗୀତ ନାଟକ ଏକାଡେମୀର ସଭାପତି ଅରୁଣା ମହାନ୍ତି, ପର୍ଯ୍ୟଟନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ପର୍ଯ୍ୟଟନର ସହନିର୍ଦ୍ଦେଶକ ରଶ୍ମି ସୋନିଆ ତୀର୍କୀ, ପୁରୀଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ନିମାପଡ଼ା ଡିଏସପି ଦେବାଶିଷ ମିଶ୍ର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସତ୍ଯ ପ୍ରକାଶ ମିଶ୍ର, ଭାରତ ପର୍ଯ୍ୟଟନର ସୂଚନା ଅଧିକାରୀ ଜଗନ୍ନାଥ ବେହେରା, କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା ଓ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ସମେତ ଜନସ୍ୱାସ୍ଥ୍ୟ ବର୍ଗ, ଅଗ୍ନିସମ ବିଭାଗ, ପୂର୍ତ୍ତ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷ, ଓଟିଡିସିର ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ। କୋଣାର୍କ ଉତ୍ସବ ଡିସେମ୍ବର ୧ଠାରୁ ଆରମ୍ଭ ହୋଇ ୫ତାରିଖ ଦିନ ଉଦଯାପିତ ହେବ।କୋଣାର୍କ ଉତ୍ସବର ବିଭିନ୍ନ ଦିବସରେ ଆନ୍ତର୍ଜାତୀୟ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ, କୁଚିପୁଡ଼ି, ଭାରତନାଟ୍ୟମ ସମେତ ବିଭିନ୍ନ ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଓଡିଶା ସଂଗୀତ ନାଟକ ଏକାଡେମୀର ସଭାନେତ୍ରୀ ଅରୁଣା ମହାନ୍ତି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ