୩୫୫ କୋଟି ଟଙ୍କା ବ୍ୟୟରେ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ବ୍ଲକର ୩୦୪ ଗାଁକୁ ହେବ ପାନୀୟ ଜଳ ଯୋଗାଣ
ଛତ୍ରପୁର, (ଦେବଦତ୍ତ ମହାରଣା) : ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଛତ୍ରପୁର, ଖଲ୍ଲିକୋଟ ଓ ଗୋପାଳପୁର ନିର୍ବାଚନମଣ୍ଡଳୀକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭେଟି ପ୍ରଦାନ କରାଯାଇଛି । ଜଲଜୀବନ ମିସନ୍ ମାଧ୍ୟମରେ ଏହି ୩ ନିର୍ବାଚନମଣ୍ଡଳୀର ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ଓ ରଙ୍ଗେଇଲୁଣ୍ଡା ବ୍ଲକର ୮୬ ଗ୍ରାମ ପଞ୍ଚାୟତର ୩୦୪ ଗାଁକୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବ । ୩୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ମେଗା ପ୍ରକଳ୍ପ ଜରିଆରେ ୪ ଟି ବ୍ଲକର ପ୍ରାୟ ୭ ଲକ୍ଷ ଜନସାଧାରଣ ଉପକୃତ ହୋଇପାରିବେ । ଏହି ପରିପ୍ରେକ୍ଷୀରେ ୩ ନିର୍ବାଚନମଣ୍ଡଳୀ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି । ଛତ୍ରପୁର ଶିବକୁମାର ରିଡିଂ ରୁମ୍ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଛତ୍ରପୁର ବିଧାୟକ ଶ୍ରୀ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍.ଉଷାରାଣୀ, ଉପାଧ୍ୟକ୍ଷ ଅଜିତ୍ କୁମାର ଦାଶ, ବିଜେଡି ମହିଳା ସଭାନେତ୍ରୀ ସଙ୍ଘମିତ୍ରା ଦଳାଇ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀକାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଅତିଥି ଏବଂ ଉପସ୍ଥିତ ୩ ନିର୍ବାଚନମଣ୍ଡଳୀର ପଞ୍ଚାୟତ ପ୍ରତିନିଧି ଏବଂ ଜନସାଧାରଣ ଏହି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁର କରିଥିବା ନେଇ ହୁଳହୁଳି ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ମେଗା ପ୍ରକଳ୍ପ ଆସନ୍ତା ୨୪ ମାସ ମଧ୍ୟରେ ସମ୍ପନ୍ନ କରିବା ପାଇଁ ଲକ୍ଷ୍ୟ ରହିଛି ।