୩୭ନଂ ଜୋନରେ ବିମ୍ବାଧରଙ୍କ ଦବ ଦବା
ହାଟଡିହି, (ବିକାଶ ବିଶ୍ୱାଳ ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୩୭ନଂ ଜୋନରେ ଏବେ ନିର୍ବାଚନ ତାତି ଜୋର ଧରିଛି । ତୃତୀୟ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁଥିବାବେଳେ ପ୍ରାର୍ଥୀମାନେ ସେମାନଙ୍କୁ ପ୍ରଚାରକୁ ଜୋରଦାର କରିଛନ୍ତି । ଏଠାରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଥିଲେବି ପ୍ରଚାରରେ ବିମ୍ବାଧର ଆଗ୍ରୁଆ ଅଛନ୍ତି । ସେ ନିଜର ଦୀର୍ଘବର୍ଷର ସଫଳ ରାଜନୈତିକ ଅନୁଭବ, ବଳିଷ୍ଠ ଲୋକସମ୍ପର୍କ ଓ ମୁଖମନ୍ତ୍ରୀଙ୍କ ସୁଶାସନକୁ ଆୟୁଧକରି ନିର୍ବାଚନ ମଇଦାନରେ ଉଭା ହୋଇଛନ୍ତି । ସେ ନିଜର ୩୦ବର୍ଷର ରାଜନୈତିକ ଜୀବନ ମଧ୍ୟରେ ସଂଘର୍ଷ କରିକରି ସଫଳତା ପାଇବାସହ ବ୍ଲକ ଓ ଜିଲ୍ଲାସ୍ତରୀୟ ନେତା ଭାବେ ନିଜର ପାତିଆରା ଜାହିର କରିବାରେ ସଫଳ ହେବାସହ ଲୋକପ୍ରୀୟତା ବଢ଼ାଇପାରିଥିଲେ । ଯାହାକି ତାଙ୍କ ପାଇଁ ଏବେ ବରଦାନ ସଦୃଷ ହୋଇଛି । ଏବେ ସେ ଘରଘର ବୁଲି ପ୍ରଚାର କରିବା ସମୟରେ ତାଙ୍କୁ ଯେପରି ଭାବେ ଲୋକମାନେ ଗ୍ରହଣ କରୁଛନ୍ତି ଏଥିରୁ ତାଙ୍କର ଲୋକପ୍ରୀୟତା ବେଶ ବାରି ହୋଇ ପଡୁଛି । ସେ ତାଙ୍କର ଦୀର୍ଘଦିନର ରାଜନୈତିକ ଅଭିଜ୍ଞତାକୁ ଭିତ୍ତିକରି ଏହି ପ୍ରଚାର କରୁଥିବାବେଳେ ଭୋଟରମାନେ ତାଙ୍କୁ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହି ଜୋନର ୮ଟି ଯାକ ପଞ୍ଚାୟତରୁ ସେ ଅଧିକ ହାରରେ ସଫଳତା ହାସଲ କରିବେ ବୋଲି ଲାଗିପଡିଛନ୍ତି । ତାଙ୍କ ସହିତ ବିଜେଡିର ଯୁବଛାତ୍ର ସଂଗଠନ ଓ ବରିଷ୍ଠ ବିଜେଡି ନେତାମାନେ ସାମିଲ ହୋଇଛନ୍ତି । ବିଧାୟକ ଭାଗିରଥି ସେଠୀ, ସିନେ ଅଭିନେତ୍ରୀ ଏଲିନା ମଧ୍ୟ ତାଙ୍କ ପାଇଁ ପ୍ରଚାର କରିସାରିଥିବାବେଳେ ନିଜେ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ।