୩୯ବର୍ଷ ହେଲା ଖୋଳା ଯାଇଛି କେନାଲ

ହାଟଡିହିି, (ବିକାଶ ବିଶ୍ୱାଳ):୩୯ବର୍ଷ ହେଲା ଖୋଳା ଯାଇଛି କେନାଲ, ହେଲେ ପାଣି ଟୋପେ ପାଇପାରୁ ନାହାନ୍ତି ଚାଷୀ । ହେଲେ କାଗଜ କଲମରେ ଏହାକୁ ଜଳସେଚିତ ଗ୍ରାମ ବୋଲି ଦର୍ଶା ଯାଇଥିବାରୁ ମରୁଡି ସହାୟତାରୁ ବଞ୍ଚିତ ହେଉଛନ୍ତି ଚାଷୀମାନେ । ଯାହାକୁ ନେଇ ଚାଷୀଙ୍କ ଭିତରେ ଦେଖା ଦେଇଛି ଅସନ୍ତୋଷ । ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ କରଗୋଳା ମାଇନର କେନାଲରେ ।ହାଟଡିହି ବ୍ଲକ ଆମ୍ବୋ ଓ ସମଣା ପଞ୍ଚାୟତର ୭ଟି ଗ୍ରାମର ଚାଷୀଙ୍କ କ୍ଷେତ୍ରରେ । ଏହି ପଞ୍ଚାୟତର ଆମ୍ବୋ, ଲଇଛଣପୁର, କରଗୋଳା, ତେଲସିଙ୍ଗା, ଗିରିଗାଁ, ବେଗୁନିଆପଦି, ସରଳ, ଅଣତିରା ଆଦି ଗ୍ରାମର ଚାଷଜମିକୁ ଜଳସେଚିତ କରିବା ଉଦେ୍ଦଶ୍ୟରେ ୧୯୮୪ ମସିହାରେ ଆବୁଲୁପୁରା ଠାରୁ କରଗୋଳା ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା କେନାଲ । ସେତେବେଳେ ଏହି କେନାଲ ପାଇଁ ଅନେକ ଲୋକ ଜମି ହରାଇଛନ୍ତି । ଅନେକ ଆଶା ଥିଲା ଯେ କେନାଲ ନିର୍ମାଣ ହେଲେ ପୁର୍ବରୁ ଯେଉଁ ମରୁଡି ସମସ୍ୟା ଦେଖା ଦେଉଥିଲା ତାହା ଆଉ ହେବନାହିଁ । ଚାଷବାସ କରି ଭଲ ଧାନ ଅମଳ କରିପାରିିବେ । କିନ୍ତୁ ଚାଷୀ ମାନଙ୍କର ସେ ଆଶା ଆଶାରେ ରହିଗଲା । ୩୯ବର୍ଷ ବିତି ଯାଇଥିଲେ ମଧ୍ୟ ପାଣିଟୋପେ ପାଇପାରି ନାହାନ୍ତି ଏହି କେନାଲ ଅଧିନରେ ଥିବା ଚାଷୀ । କିନ୍ତୁ ପ୍ରତିବର୍ଷ କେନାଲ ମରାମତି ନାମରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ପାଣି ପାଉ ନାହାନ୍ତି ଚାଷୀ । ଏନେଇ ଚାଷୀ ମାନଙ୍କ ପକ୍ଷରୁ ବାରମ୍ବାର ଜଳସେଚନ ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ, ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନି ବୋଲି ଗୋପବନ୍ଧୁ ଦାସ, କାର୍ତ୍ତିକ ବେହେରା, ଚକ୍ରଧର ପରିଡା, ବନମାଳୀ ଜେନା, ଗୋପାଳକୃଷ୍ଣ ମହାପାତ୍ର, ସୁବ୍ରତ ମହାପାତ୍ର, ଜିତେନ୍ଦ୍ର ରାଉତ, ବାବନ ରାଉତ, ରଘୁନାଥ ବାରିକ, ଶଶିକାନ୍ତ ଦେହୁରୀ, ପାଣ୍ଡବ ଜେନା, ଜଗବନ୍ଧୁ ଜେନା, ମଣ୍ଟୁ ପଣ୍ଡା, ଦୈତାରୀ ସାହୁ ପ୍ରମୁଖ ଚାଷୀମାନେ କହିଛନ୍ତି । ଗତ କିଛିଦିନ ତଳେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଏ କେନାଲ ପରିଦର୍ଶନରେ ଆସି ୩ମାସ ଭିତରେ ଏହାର ସୁବ୍ୟବସ୍ଥା କରିବେ ବୋଲି ଆମକୁ କହିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ବି ହେଲାନି । ବିଶେଷକରି ଆମର ଏ ଅଞ୍ଚଳ ଆଦୌ ଜଳସେଚନ ହେଉ ନଥିବାବେଳେ ଚାଷୀମାନେ ଅନେକ ବର୍ଷ ମରୁଡିର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ କାଗଜ କଲମରେ ଏହା ଜଳସେଚିତ ଅଞ୍ଚଳ ଦର୍ଶାଯାଇଥିବାରୁ ଏ ଅଞ୍ଚଳର ଚାଷୀମାନେ ମରୁଡି ସହାୟତା ପାଇବାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ତେଣୁ କିପରି ଏହି କେନାଲଟି କାର୍ଯ୍ୟକ୍ଷମ ହୋଇପାରିବ ସେନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଣବ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ କେନାଲର ଶେଷ ମୁଣ୍ଡକୁ ପାଣି ଯାଇପାରୁନି ବୋଲି ଚାଷୀଙ୍କ ଅଭିଯୋଗ ପାଇବାପରେ ନିଜେଯାଇ କେନାଲ ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲି । ଏହିକେନାଲର ଅଧା ପର୍ଯ୍ୟନ୍ତ ପାଣି ଯାଉଥିବାବେଳେ ତଳମୁଣ୍ଡକୁ ପାଣି ଯାଇପାରୁନି । ଏ ବର୍ଷ ଚାଷ ସରିବାପରେ ଏହାକୁ ପୁନଃ ନିର୍ମାଣ କରିବାଲାଗି ପଦକ୍ଷେପ ନେବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ