୩୯ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାନସ ସନ୍ତାନ କୋଣାର୍କ ଅର୍କବିହାର ନାଟ୍ୟ ମଣ୍ଡପ ଠାରେ ୩୯ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଉଦଘାଟିତ ହୋଇଛି। ଏହି ଉଦଘାଟନୀ ସମାରୋହରେ ଅତିଥିଭାବେ ଜଗତସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ ,ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ , କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଧର୍ମପତ୍ନୀ ସୁଲୋଚନା ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ପ୍ରଥମେ ଘଣ୍ଟ ମର୍ଦ୍ଦଳ ଓ ଶଙ୍ଖ ଧ୍ବନି ତାଳେତାଳେ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଆଜ୍ଞାମାଳ ମଞ୍ଚରେ ବିଜେ କରାଯାଇଥିଲା। ନାଟ୍ୟ ମଣ୍ଡପ ଓ ନୃତ୍ୟାଳୟା ଡାନ୍ସ ଏକାଡେମୀ କଳାକାରମାନଙ୍କ ଦ୍ଵାରା ପଂଚଦେବ ସ୍ତୁତି ପରିବେଷଣ ହୋଇଥିଲା। ଏହା ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ଓ ବିମୋହିତ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ କୋଲକତାର ସଙ୍କଳ୍ପ ନୃତ୍ୟାୟନ କଳାକାରଙ୍କ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ଶେଷରେ ରଘୁରାଜପୁର ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୨୫ତମ କୋଣାର୍କ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସାହିତ୍ୟିକ, କବି କବୟିତ୍ରୀ ମାନେ ଯୋଗଦାନ କରି ସ୍ବରଚିତ କବିତାମାନ ପାଠ କରିଥିଲେ। ୩୯ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବରେ ଅର୍ପିତା ସେନ ଓ ନିରଞ୍ଜନ ପାଲତା କର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନାଟ୍ୟମଣ୍ଡପର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।