୩୯ ରେକ୍ ଖଲାସ କରି ପାରାଦ୍ୱୀପ ବନ୍ଦର ସର୍ବକାଳୀନ ରେକର୍ଡ
ପାରାଦ୍ୱୀପ,(ପିତବାସ ପ୍ରଧାନ):ଏପ୍ରିଲ୍ ୧୭ ତାରିଖ ଗୋଟିଏ ଦିନରେ ୩୯ଟି ରେଳ ରେକ୍ ଖଲାସ କରି ପାରାଦ୍ୱୀପ ବନ୍ଦର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ପାରାଦ୍ୱୀପ ବନ୍ଦର ଯାନ୍ତ୍ରିକ କୋଇଲା ବୋଝେଇ ପ୍ଳାଣ୍ଟ (ଏମ୍ସିଏଚ୍ପି) ରେ ୨୬ଟି ରେକ୍ ରୁ ପଣ୍ୟ ଖଲାସ ହୋଇଥିବା ବେଳେ ମାନୁଆଲ ୧୩ଟି ରେକ୍ରୁ ପଣ୍ୟ ଖଲାସ କରାଯାଇଛି । ସୂଚନା ଥାଉକି ନିକଟରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପାରାଦ୍ୱୀପ ବନ୍ଦର ୧୧୨.୬୯ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ତାର ପୂର୍ବ ରେକର୍ଡକୁ ଭଙ୍ଗ କରିଥିଲା । ପ୍ରକାଶ ଥାଉକି, ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ନିମନ୍ତେ ଲକଡାଉନ୍ ଥିବାବେଳେ ଦେଶର ଜରୁରୀ କାଳୀନ ସାମଗ୍ରୀ ପରିବହନ ଅନ୍ତର୍ଗତ ପାରାଦ୍ୱୀପ ବନ୍ଦର ର ପଣ୍ୟକାରବାର କ୍ଷେତ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଏହା ସତ୍ତ୍ୱେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ଦୃଢ ନେତୃତ୍ୱ ଓ କରୋନା ପ୍ରତିଷେଧକ ବ୍ୟବସ୍ଥା ସହ ବନ୍ଦର ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛି ।


