୩ ଅନାଥ ଶିଶୁଙ୍କୁ ଆପଣେଇଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ପ୍ରତିଶୃତି ପାଳନ କଲା ଜିଲ୍ଲା ପ୍ରଶାସନ । ୩ ଅନାଥ ଭାଇଭଉଣିଙ୍କୁ ପୋଷ୍ୟ ଗ୍ରହଣ କରିଛି ଗଜପତି ଜିଲ୍ଲା ପ୍ରଶାସନ । ଘଟଣାରୁ ପ୍ରକାଶ ଯେ ଗତ କିଛି ଦିନ ତଳେ ଯେଉଁ ଲଗାଣ ବର୍ଷା ଗଜପତି ଜିଲାରେ ହୋଇଥିଲା ସେହି ବର୍ଷା ପ୍ରଭାବରେ ରାୟଗଡ ବ୍ଲକ ଅନ୍ଧାରିଗୁମ୍ମା ଗ୍ରାମର ସୁରେନ୍ଦ୍ର ଶବର ନାମକ ବ୍ୟକ୍ତି କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଗତ ଦୁଇ ଦିନ ତଳେ ତାଙ୍କର ଶବ ରାୟଗଡ ବ୍ଲକ ଏସ୍.କରଡାସିଂ ରାସ୍ତା ପାଶ୍ୱର୍ରେଥିବା ଏକ ନାଳରେ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ଦୁଇଟି ନାବାଳିକା ଓ ଜଣେ ନାବାଳକ ଶିଶୁ ରହିଥିବାବେଳେ ସେମାନଙ୍କର ମା ପୂର୍ବରୁ ହିଁ ମୃତ୍ୟୁବରଣ କରିସାରିଛନ୍ତି । ତେବେ ସୀତା ଶବର,ସୁଭଦ୍ରା ଶବର ଏବଂ ଜଗନ୍ନାଥ ଶବର ନାମକ ଏହି ୩ଜଣ ଶିଶୁଙ୍କୁ ଆପଣେଇଛି ଜିଲ୍ଲା ପ୍ରଶାସନ । ସୀତା ଶବର ଏବଂ ସୁଭଦ୍ରା ଶବରଙ୍କୁ ନବଜୀବନ ଶିଶୁ ଯତ୍ନ ଗୃହରେ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ଜଗନ୍ନାଥଙ୍କୁ କାଶୀନଗର ବ୍ଲକ ଅଲଡା ଆଦର୍ଶ ବିଦ୍ୟାଳୟରେ ରହିବା ଓ ପଢିବା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠି । ତେବେ ଗଜପତି ଜିଲ୍ଲା ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।